ରାଜ୍ୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନବୀନ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ବିପୁଳ ଜନାଦେଶ ସହ କେନ୍ଦ୍ରରେ ପୁଣିଥରେ ସରକାର ଗଢ଼ିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଆଜି ସାକ୍ଷାତ କରିଛନ୍ତି। କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନଙ୍କ ନେତୃତ୍ୱରେ ସରକାର ଗଠନ ପରେ ପ୍ରଥମଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତ ରାଜନୀତିକ ମହଲରେ ଗୁରୁତ୍ୱ ଦିଆଯାଉଛି।
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ମଧ୍ୟରେ ଆଜି ପ୍ରାୟ ୧୦ମିନିଟ୍ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ହୋଇଥିଲା। ଏହି ସାକ୍ଷାତବେଳେ କୌଣସି ପ୍ରକାରର ରାଜନୀତିକ ବିଷୟବସ୍ତୁ ସ୍ଥାନ ପାଇନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ମୋଦି ଓ ନବୀନ ପରସ୍ପରକୁ ସରକାର ଗଠନ ପାଇଁ ଶୁଭକାମନା ଓ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ‘ଫୋନି’ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆଲୋଚନାର ମୁଖ୍ୟ ବିଷୟବସ୍ତୁ ‘ଫୋନି’ ପୁନରୁଦ୍ଧାର ମଧ୍ୟରେ ସୀମିତ ଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାକୁ ନିର୍ଦ୍ଧିଷ୍ଟ ଅବଧି ପାଇଁ ‘ସ୍ୱତନ୍ତ୍ର କେନ୍ଦ୍ରିତ ରାଜ୍ୟ’ର ମାନ୍ୟତା ସହ ଆର୍ଥିକ ସହାୟତା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ନିମନ୍ତେ ‘ପ୍ରାକୃତିକ ବିପର୍ଯ୍ୟୟ’କୁ ଏକ ମାନଦଣ୍ଡ ଭାବେ ବିଚାର କରିବା, କୋଇଲା ରୟାଲିଟିକୁ ୧୪%ରୁ ୨୦%କୁ ବୃଦ୍ଧି, ଫୋନି ପୁନରୁଦ୍ଧାର ପାଇଁ ଏନଡିଆରଏଫରୁ ୫୨୨୮କୋଟି ଟଙ୍କା ସହାୟତା ଦେବାକୁ ଅନୁରୋଧ କରିଛନ୍ତି। ତେବେ ଏହି ଅନୁରୋଧ ମଧ୍ୟରେ ନବୀନ ଓ ତାଙ୍କ ନେତୃତ୍ୱାଧୀନ ବିଜେଡି ଆଗାମୀ ଦିନରେ ‘କେନ୍ଦ୍ରୀୟ ଅବହେଳା’ର ସ୍ୱରକୁ ସୁବିଧା ମୁତାବକ ଉଠାଇବାର ମାର୍ଗକୁ ପ୍ରଶସ୍ତ କରିଛନ୍ତି। ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ନବୀନ ସାକ୍ଷାତ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version