Latest

ବଜେଟ୍ ୧.୬୧ଲକ୍ଷ କୋଟି, ୮ମାସରେ ଖର୍ଚ୍ଚ ହୋଇଛି ମାତ୍ର ୬୦ହଜାର କୋଟି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉଦ୍ଦିଷ୍ଟ ମୋଟ ବଜେଟ୍ ୧ଲକ୍ଷ ୬୧ହଜାର ୨୦୦କୋଟି ଟଙ୍କା ମଧ୍ୟରୁ ଗତ ୮ମାସ ମଧ୍ୟରେ ମାତ୍ର ୬୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କରୋନା ମହାମାରୀ ଯୋଗୁ ମୂଳ ବଜେଟ ୧.୫୦ଲକ୍ଷ କୋଟି ଟଙ୍କାକୁ ଖର୍ଚ୍ଚ କରିବାରେ ସମସ୍ୟା ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଗତ ନଭେମ୍ବର ମାସରେ ୧୧,୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିବାକୁ ପଛାଇ ନଥିଲେ । ତେବେ ଆଜି ସଚିବସ୍ତରୀୟ ବୈଠକବେଳେ ୨୦୨୦ ନଭେମ୍ବର ଶେଷସୁଦ୍ଧା ବଜେଟ୍ ଅର୍ଥରୁ ମାତ୍ର ୬୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି । ତେଣୁ ଆଉ ୪ମାସ ମଧ୍ୟରେ ୧ଲକ୍ଷ କୋଟି ଟଙ୍କା କିଭଳି ସରକାର ଖର୍ଚ୍ଚ କରିବେ ତାହା ଉପରେ ନଜର ରହିଛି ।
ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶେଷ ସଚିବସ୍ତରୀୟ ବୈଠକରୁ ଜଣାପଡ଼ିଛି ଯେ, ୨୦୨୦ ନଭେମ୍ବର ଶେଷସୁଦ୍ଧା ରାଜ୍ୟର ରାଜସ୍ୱ(ଉଭୟ ଟିକସ ଓ ଅଣଟିକସ) ଗତ ଆର୍ଥିକବର୍ଷର ଏହି ଅବଧି ତୁଳନାରେ ୪ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯ ନଭେମ୍ବର ଶେଷସୁଦ୍ଧା ମୋଟ ୨୮୪୦୨କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୨୯,୪୧୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ଅଣଟିକସ ରାଜସ୍ୱରେ ୨୩.୨୯ ପ୍ରତିଶତ ବୃଦ୍ଧି ହୋଇଛି । ୨୦୧୯ ନଭେମ୍ବର ଶେଷସୁଦ୍ଧା ଅଣଟିକସ ରାଜସ୍ୱ ୮୪୮୫ କୋଟି ଟଙ୍କା ଥିବାବେଳେ ୨୦୨୦ ନଭେମ୍ବର ଶେଷସୁଦ୍ଧା ଏହା ୧୦,୪୬୨କୁ ବୃଦ୍ଧି ପାଇଛି । ସେହିପରି ଲକଡାଉନ୍ ଓ ସଟଡାଉନ୍ ସମସ୍ୟା ମଧ୍ୟରେ ରାଜ୍ୟର ମୋଟ ବଜେଟରୁ ୨୦୨୦ ନଭେମ୍ବର ସୁଦ୍ଧା ମାତ୍ର ୬୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଅର୍ଥ ଭିତ୍ତିଭୂମି, ସାମାଜିକ, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ଖର୍ଚ୍ଚ ହୋଇଛି ।
ଏହି ବୈଠକରେ ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ନଗର ଉନ୍ନୟନ ବିଭାଗକୁ ନିଜର ପ୍ରକଳ୍ପଗୁଡ଼ିକର ପ୍ରାଥମିକତା ଚିହ୍ନଟ କରି ତାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିବାବେଳେ ପାଣ୍ଠି ଅଭାବ ଯୋଗୁ ପ୍ରକଳ୍ପ କାର୍ଯ୍ୟ ବାଧାପ୍ରାପ୍ତ ହେବ ନାହିଁ ବୋଲି ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ସୂଚନା ଦେଇଥିଲେ ।
ସେହିପରି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ବୈଠକରେ ଓଏମବିଏଡିସି ଓ ଡିଏମଏଫ ପ୍ରକଳ୍ପଗୁଡ଼ିକର ନିୟମିତ ସମୀକ୍ଷା ପାଇଁ କହିବା ଖଣିଜ ଜିଲ୍ଲାଗୁଡ଼ିକରେ ୨୦ହଜାର କୋଟି ଟଙ୍କା ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version