ରାଜନୀତି

ବିଜେଡିର ନୂଆ ରେକର୍ଡ, କାମ ଦେଲା ମହିଳା କାର୍ଡ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ କ୍ରମାଗତ ପଞ୍ଚମଥର କ୍ଷମତାସୀନ ହେବାକୁ ଯାଉଥିବା ବିଜେଡି ଆଉ ଏକ ନୂଆ ରେକର୍ଡ ସ୍ଥାପନ କରିଛି। ଗତ ଦୁଇଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ବିଜେଡିର ସର୍ବାଧିକ ସଂଖ୍ୟକ ମହିଳା ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି। ସେହିପରି ଜାତୀୟସ୍ତରରେ ନରେନ୍ଦ୍ର ମୋଦି ହାୱା ସତ୍ତେ୍ୱ ଲୋକସଭାରେ ନିଜର ସ୍ଥିତି ରକ୍ଷା କରିବାକୁ ବିଜେଡି କରିଥିବା ରଣନୀତି ମଧ୍ୟ ସଫଳ ହୋଇଛି। ବିଶେଷକରି ନିର୍ବାଚନ ପୂର୍ବରୁ ବିଜେଡିର ‘ମହିଳା’ କାର୍ଡ କାମ ଦେଇଛି। ବିଜେଡି ବିଧାନସଭାରେ ୧୯ ଓ ଲୋକସଭାରେ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ଏବେ ଏହି ମହିଳାଙ୍କ ମଧ୍ୟରୁ ଅଧିକାଂଶ ବିଜୟୀ ହେଉଥିବା ଜଣାପଡ଼ିଛି।
ସମସ୍ତ ପୁରୁଣା ରେକର୍ଡକୁ ପଛରେ ପକାଇ ବିଜେଡିର ୧୨ଜଣ ମହିଳା ବିଧାୟିକା ଏଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ବିଜେପିର କୁସୁମ ଟେଟେ ଏକମାତ୍ର ବିଧାୟିକା ଭାବେ ବିଜୟୀ ହୋଇଛନ୍ତି। ୨୦୧୪ ବିଧାନସଭାରେ ମୋଟ ମହିଳା ବିଧାୟକ ୧୨ ଥିବାବେଳେ ଚଳିତଥର ଏହା ବୃଦ୍ଧି ପାଇଁ ୧୩ରେ ପହଞ୍ôଚଛି । ଚଳିତଥର ବିଧାନସଭାରେ ବିଜେଡିର ମହିଳା ବିଧାୟିକାଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି।
୨୦୧୪ ମସିହା ନିର୍ବାଚନରେ ବିଜେଡିର ୧୧ଜଣ ଓ ବିଜେପିର ଜଣେ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡିର ୬ଜଣ ଓ କଂଗ୍ରେସର ଜଣେ ମହିଳା, ୨୦୦୪ ନିର୍ବାଚନରେ ବିଜେଡିର ୪ଜଣ,ବିଜେପିର ୫ଜଣ, କଂଗ୍ରେସର ୨ଜଣ ଓ ଜଣେ ସ୍ୱାଧୀନ ବିଧାୟିକା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୦ ମସିହା ନିର୍ବାଚନରେ ବିଜେଡିର ୯ଜଣ, ବିଜେପିର ୨ଜଣ ଓ କଂଗ୍ରେସର ୩ଜଣ ମହିଳା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଧାନସଭାରେ ୨୦୦୦ ମସିହାରେ ୧୪ଜଣ, ୨୦୦୪ରେ ୧୨ଜଣ ମହିଳା, ୨୦୦୯ରେ ୭ଜଣ ମହିଳା, ୨୦୧୪ରେ ୧୨ଜଣ ମହିଳା ବିଧାୟିକା ଥିବାବେଳେ ୨୦୧୯ ନିର୍ବାଚନରେ ୧୩ଜଣ ମହିଳା ନିର୍ବାଚିତ ହୋଇଛନ୍ତି।
ବିଜେଡି ଏଥର ବିଧାନସଭା ନିର୍ବାଚନରେ ୧୯ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୭ଜଣ ପରାଜିତ ହୋଇଛନ୍ତି। ସେମାନେ ହେଲେ ସରୋଜିନୀ ହେମ୍ବ୍ରମ(ବାରିପଦା), ପୂର୍ଣ୍ଣବାସୀ ନାୟକ(ମୋହନା), କଲ୍ୟାଣୀ ଗଜପତି(ପାରଳାଖେମୁଣ୍ଡି), ବାସନ୍ତୀ ମାରାଣ୍ଡି(ରାଇରଙ୍ଗପୁର), ରୀନା ତନ୍ତୀ(ରେଙ୍ଗାଳୀ), ରାସେଶ୍ୱରୀ ପାଣିଗ୍ରାହୀ(ସମ୍ବଲପୁର) ଓ ନନ୍ଦିନୀ ଦେବୀ(ସାନଖେମୁଣ୍ଡି)ଙ୍କୁ ପରାଜିତ ହେବାକୁ ପଡ଼ିଛି। ଅନ୍ୟମାନେ ଯଥା ପଦ୍ମିନୀ ଦିଆନ, ଉଷା ଦେବୀ, ସ୍ନେହାଙ୍ଗିନୀ ଛୁରିଆ, ମଞ୍ଜୁଳା ସ୍ୱାଇଁ, ଲତିକା ପ୍ରଧାନ, ଟୁକୁନି ସାହୁ, ମୀନାକ୍ଷୀ ମହନ୍ତ, ବାସନ୍ତୀ ହେମ୍ବ୍ରମ, ସୀମାରାଣୀ ନାୟକ, ସୁନନ୍ଦା ଦାସ, ପ୍ରମିଳା ମଲ୍ଲିକ, କେକ ସୂର୍ଯ୍ୟମଣି ବିଜୟୀ ହୋଇଛନ୍ତି। ଏଥିରେ ଉଷା, ସ୍ନେହାଙ୍ଗିନୀ, ଟୁକୁନି, ସୀମା ଓ ପ୍ରମିଳା ପୁନର୍ବାର ନିର୍ବାଚିତ ହୋଇଛନ୍ତି।
ଅପରପକ୍ଷରେ ବିଜେପିର ଏକମାତ୍ର ମହିଳା ବିଧାୟିକା ରାଧାରାଣୀ ପଣ୍ଡା ପରାଜିତ ହୋଇଥିବାବେଳେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା କୁସୁମ ଟେଟେ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version