ରାଜନୀତି
ବିଜେପି ବିଧାୟକ ଦଳ ବୈଠକ: ବିଧାନସଭାରେ ଚାଷ ଓ ଚାଷୀ ସମସ୍ୟାକୁ ବିଜେପି ପ୍ରସଙ୍ଗ କରିବ
ଭୁବନେଶ୍ୱର (ଓଡ଼ିଶା ୱେୟାର): ବିଧାନସଭାରେ ଚାଷ ଓ ଚାଷୀ ସମସ୍ୟାକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିବ ବୋଲି ନିଷ୍ପତ୍ତି ନେଇଛି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ବିଜେପି ବିଧାୟକ ଦଳ ବୈଠକ ପରେ ଦଳର ବିଧାୟକ ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟସରକାରଙ୍କ ଅପରାଗତା ଯୋଗୁଁ ଚାଷୀ ଧାନର ଉଚିତ୍ ମୂଲ୍ୟ ପାଉନାହିଁ। ମଣ୍ଡି ଅବ୍ୟବସ୍ଥା, କଟନି ଛଟନି ଆଳରେ କ୍ୱିଣ୍ଟାଲ ପ୍ରତି ୫/୭ କିଲୋ ଧାନକାଟିବା , ଚାଷୀଙ୍କଠୁ ୧୭୫୦ ଟଙ୍କା ଏମଏସପିରେ ଧାନ ନକିଣିବା ଆଦିକୁ ମୁଖ୍ୟ ପ୍ରସଙ୍ଗ କରାଯିବ। ଏହାବ୍ୟତୀତ ମହିଳା ଅତ୍ୟାଚାର, ପିସି କାରବାର ବ୍ୟାପକ ହେବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଥ୍ୟା ତଥ୍ୟ ରଖିବା, ୩୦୦ କୋଟି ଟଙ୍କାର ଚିଟଫଣ୍ଡ୍ କର୍ପସ ଫଣ୍ଡର ଘୋଟାଲା, ପାନୀୟ ଜଳ ସମସ୍ୟା, ଶ୍ରୀମନ୍ଦିର ପରିଚାଳନା ଅବ୍ୟବସ୍ଥା, ଡିଏମଏଫର ସଠିକ୍ ବିନିଯୋଗ ନହେବା, ବେକାରୀ ସମସ୍ୟା ସମେତ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦଳ ପ୍ରସଙ୍ଗ ଉଠାଇବ ବୋଲି ସେ କହିଛନ୍ତି। ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ, ଦୁର୍ଯ୍ୟୋଧନ ମାଝୀ, ଗୋବିନ୍ଦ ଦାସ, ନିତୀଶ ଗଙ୍ଗଦେବ ଓ ରାଧାରଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।