ରାଜନୀତି

ବିଜୟ-ଦିଲ୍ଲୀପଙ୍କୁ ନେଇ କ’ଣ କହିଲେ ଓଡ଼ିଶା ବିଜେପି ପ୍ରଭାରୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଦୁଇ ବରିଷ୍ଠ ନେତା ତଥା ବିଜେପିର ପୂର୍ବତନ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ପୁଣିଥରେ ବିଜେପିକୁ ଫେରିପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଯଦିଓ ଉଭୟ ନେତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନି ତଥାପି ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂ ବୟାନରୁ ଏଭଳି ସଙ୍କେତ ମିଳିଛି।
ବିଜେପି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ସିଂ ଆଜି ସାମ୍ବାଦିକମାନଙ୍କୁ ବିଜୟ ଓ ଦିଲ୍ଲୀପଙ୍କ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେହି ଆମ ଦଳରୁ ଯାଇନାହାନ୍ତି। ସମସ୍ତେ ଆମ ସହ ଅଛନ୍ତି। ତାଙ୍କର ଏହି ପଦେ କଥା ବିଜୟଙ୍କ ବିଜେପିକୁ ଫେରିବା ଚର୍ଚ୍ଚା ଅଧିକ ବଳ ଦେଇଛି । ଶ୍ରୀ ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟରୁ ପୁରା ମୂଳପୋଛ ହୋଇଯିବ। ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବାପରେ ଓଡ଼ିଶାରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଅନେକ ନେତା ବିଜେପିକୁ ଆସିବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ଏବେ ବିଜେଡିରେ କମ୍ପନ ସୃଷ୍ଟି ହେଲାଣି। ଆସନ୍ତା ସପ୍ତାହକ ମଧ୍ୟରେ ବିଜେପି ତା’ର ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି।
ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେବା ପ୍ରସଙ୍ଗରେ ଶ୍ରୀ ସିଂ କହିଛନ୍ତି ଯେ ଏ ନିଷ୍ପତ୍ତି ଦଳର ସଂସଦୀୟ ବୋର୍ଡ ଓ ପ୍ରଧାନମନ୍ତ୍ରୀ ନିଜେ ନେବେ। ମୋଦିଙ୍କ ସ୍ନେହ ଓ ଭଲ ପାଇବା ଓଡ଼ିଶା ସହ ଅଛି। ପୁରା ତାକତରେ ବିଜେପି ଲଢ଼ିବ ଓ ସରକାର ଗଢ଼ିବ ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି।
ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୩୦ତାରିଖରେ ବିଜୟ ଓ ଦିଲ୍ଲୀପ ବିଜେପିରୁ ଇସ୍ତଫା ଦେଇଥିଲେ ମଧ୍ୟ କୌଣସି ଦଳରେ ସାମିଲ ହୋଇନାହାନ୍ତି। ଉଭୟ ନେତା ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ତାହା ଫଳପ୍ରଦ ହୋଇପାରିନି। ବିଜେପିର ଜଣେ ବରିଷ୍ଠ ନେତା ଏହି ଦୁଇ ନେତାଙ୍କ ସହ ଯୋଗସୂତ୍ର ସ୍ଥାପନ କରି ସେମାନଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version