Latest

ବିଧାନସଭାରେ ୧୧୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): କୋଭିଡ୍ ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ଏହି ଅତିରିକ୍ତ ବଜେଟରେ ‘ଆବଣ୍ଟନର ପୁନଃ ପ୍ରାଥମିକତା’କୁ ଗୁରୁତ୍ୱ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷ ଦେଢ଼ ଲକ୍ଷ କୋଟି ଟଙ୍କାର ମୂଳ ବଜେଟ ଥିବାବେଳେ କରୋନା ଯୋଗୁ ଅର୍ଥନୀତି ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ମୂଳ ବଜେଟରେ ବ୍ୟୟବରାଦ ଅର୍ଥକୁ ପୁନଃ ଆବଣ୍ଟିତ କରିଛନ୍ତି ।
ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଅତିରିକ୍ତ ବଜେଟ ଆଗତ କରି କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ମୂଳ ବଜେଟରେ ସଂସ୍କାରମୂଳକ ପ୍ରସ୍ତାବ ମାଧ୍ୟମରେ ଏକ ନୂତନ ଓଡ଼ିଶା ଗଠନ ପାଇଁ ସରକାରଙ୍କ ଆଭିମୁଖ୍ୟ ରହିଥିଲା । କିନ୍ତୁ କୋଭିଡ-୧୯ ମହାମାରୀ ପ୍ରଭାବରେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ନିମନ୍ତେ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ନିଜର ପ୍ରାଥମିକତାକୁ ସଂଶୋଧନ କରିବାକୁ ପଡ଼ିଛି । ମୂଳ ବଜେଟ କୋଭିଡ୍ ପରିସ୍ଥିତି ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଓ ସେଥିରେ ସ୍ୱାସ୍ଥ୍ୟ, ଦକ୍ଷତା ବୃଦ୍ଧି, ପର୍ଯ୍ୟଟନ ବିକାଶ, ଗ୍ରାମୀଣ ଓ ସହାରାଞ୍ଚଳ ଉନ୍ନୟନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ତେବେ ଚଳିତ ଅତିରିକ୍ତ ବଜେଟରେ ପଂଚାୟତିରାଜ, ସ୍ୱାସ୍ଥ୍ୟ ଓ ଶକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ।

ଚଳିତ ଅତିରିକ୍ତ ବଜେଟରେ ମୋଟ ୧୧୨୦୦କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ହୋଇଥିବାବେଳେ ଏଥିରେ ପ୍ରଶାସନିକ ବ୍ୟୟବାବଦକୁ ୨୨୭୩କୋଟି, କାର୍ଯ୍ୟକ୍ରମ ବ୍ୟୟବାବଦରେ ୭୪୩୮କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦରେ ୧୪୮୪କୋଟି ଓ ରାଜ୍ୟ ବଜେଟରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ପାଇଁ ୫କୋଟି ଟଙ୍କାର ବ୍ୟୟବରାଦ ହୋଇଛି । କାର୍ଯ୍ୟକ୍ରମ ବ୍ୟୟବରାଦ ମଧ୍ୟରେ ପଂଚାୟତିରାଜ ବିଭାଗରେ ସର୍ବାଧିକ ୨୦୪୧କୋଟି, ସ୍ୱାସ୍ଥ୍ୟ ବିଭାଗରେ ୧୬୨୬କୋଟି, ଶକ୍ତି ବିଭାଗରେ ୯୫୬କୋଟି, ଉଚ୍ଚଶିକ୍ଷାରେ ୧୧୩.୧୨କୋଟି ଟଙ୍କା ସମେତ ମୋଟ ୭୪୩୮କୋଟି ଟଙ୍କା ବରାଦ ହୋଇଛି । ଏଥିରେ ରାଜ୍ୟର ନିଜସ୍ୱ ବ୍ୟୟ ୪୩୬୨କୋଟି ଟଙ୍କା, କେନ୍ଦ୍ରୀୟ ଯୋଜନାରେ ୨୪.୬୯କୋଟି ଓ କେନ୍ଦ୍ରୀୟ ଅନୁଦାନରେ ୩୦୫୦.୬୮କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ବଜେଟରେ କିଛି ବୃହତ୍ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ନିମନ୍ତେ ଚିହ୍ନଟ କରାଯାଇ ସେଥିପାଇଁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଛି । କୋଭିଡ୍ ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଯେଉଁ ସବୁ ପ୍ୟାକେଜ୍ ଘୋଷଣା କରିଥିଲେ ସେଥିପାଇଁ ମଧ୍ୟ ଅର୍ଥ ବ୍ୟୟବରାଦ ହୋଇଛି । ଏଥିରେ ଏମଏସଏମଇ କ୍ଷେତ୍ର, କୋଭିଡ୍ ଯୋଦ୍ଧାଙ୍କୁ ସ୍ୱତନ୍ତ୍ର ସହାୟତା, ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରୋତ୍ସାହନ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ମିଶନଶକ୍ତି ହିତାଧିକାରୀ, କୃଷି କ୍ଷେତ୍ର ଆଦି ପାଇଁ ଅର୍ଥ ବରାଦ ହୋଇଛି ।
ମନ୍ତ୍ରୀ ଶ୍ରୀ ପୂଜାରୀ ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କୋଭିଡ୍ ମହାମାରୀ ଯୋଗୁ ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡ଼ିଛି, ଯାହାକି ରାଜ୍ୟର ରାଜସ୍ୱ ଆଦାୟକୁ ମଧ୍ୟ ପ୍ରଭାବିତ କରିଛି । ରାଜ୍ୟରେ ଖର୍ଚ୍ଚଧାରା ପ୍ରଭାବିତ ହୋଇଛି । ପ୍ରଥମ ୬ମାସ ମଧ୍ୟରେ କେନ୍ଦ୍ରୀୟ ହସ୍ତାନ୍ତର କମିଥିବାରୁ ମୋଟ ରାଜସ୍ୱପ୍ରାପ୍ତି ୬.୫ ପ୍ରତିଶତ ହ୍ରାସ ପାଇଛି । ତେବେ ରାଜ୍ୟ ନିଜସ୍ୱ ରାଜସ୍ୱରେ ୧.୭ ପ୍ରତିଶତ ବୃଦ୍ଧି କରିପାରିଛି । ୨୦୨୦ ମସିହା ସେପ୍ଟେମ୍ବର ଶେଷସୁଦ୍ଧା ରାଜସ୍ୱ ବଳକା ୬୭୯୦କୋଟି ଟଙ୍କା ଓ ମୋଟ ଋଣଭାର ୯୭୮୨୩ କୋଟି ଟଙ୍କା ରହିଛି । ଯାହାକି ମୋଟ ଜିଏସଡିପିର ୧୬.୪ ପ୍ରତିଶତ । ତେବେ କୋଭିଡ୍ ମାମଲା ହ୍ରାସ ପାଉଥିବା ଓ ଧୀରେଧୀରେ ଅର୍ଥବ୍ୟବସ୍ଥା ଖୋଲିବା ଦ୍ୱାରା ଗତ କିଛିମାସ ମଧ୍ୟରେ ରାଜସ୍ୱପ୍ରାପ୍ତିରେ ଅଭିବୃଦ୍ଧି ପରିଲକ୍ଷିତ ହେଉଛି ଓ ଅଧିକ ରାଜସ୍ୱ ଆଦାୟ ଓ ଋଣ ଉପରେ ନିର୍ଭରଶୀଳତା ହ୍ରାସ ନିମନ୍ତେ ବକେୟା ରାଜସ୍ୱ ଆଦାୟ ଓ ସମ୍ବଳ ପ୍ରତ୍ୟାବର୍ତ୍ତନ ଉପରେ ସରକାର ଗୁରୁତ୍ୱ ଦେଉଥିବା ଶ୍ରୀ ପୂଜାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version