Latest

ବିଧାନସଭା ଅଧିବେଶନ ପାଇଁ ରଣନୀତି କଲା ବିଜେପି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ୍ ଅଧିବେଶନ ପାଇଁ ଆଜି ବିଜେପି ନିଜର ରଣନୀତିକୁ ଚୂଡ଼ାନ୍ତ କରିଛି । ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ନିମନ୍ତେ ବିଜେପି ନିଜର ରଣନୀତି ପ୍ରସ୍ତୁତ କରିଛି ।
ବିଜେପି ବିଧାୟକ ଦଳ ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପିର ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଜବାବ ମଗାଯିବ । ସୀମାବିବାଦ ବିଶେଷକରି ସୀମାବର୍ତ୍ତୀ କୋଟିଆରେ ଆନ୍ଧ୍ରର ଦଖଲ ଓ ସରକାରଙ୍କ ଅବହେଳା ସମ୍ପର୍କରେ ବିରୋଧୀ ଦଳ ସ୍ୱର ଉଠାଇବ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ପ୍ରସଙ୍ଗ ମଧ୍ୟ ଗୃହରେ ଉଠିବ । ମାହାଙ୍ଗା ଡବଲ ମର୍ଡର, ପରୀ ହତ୍ୟା ମାମଲା, ଚାଷୀଙ୍କ ସମସ୍ୟା ସମେତ ଅନ୍ୟାନ୍ୟ ସମସ୍ତ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ବିଜେପି ଗୃହରେ ଉଠାଇବ । ବିଶେଷକରି ଧାନର ଅଭାବୀ ବିକ୍ରି, ମଣ୍ଡିରେ ଚାଷୀ ଧାନ ବିକ୍ରି କରିନପାରିବା, ଟୋକେନ୍ ଅବ୍ୟବସ୍ଥା ଆଦି ପ୍ରସଙ୍ଗକୁ ଉତଥାପନ କରାଯିବ ।
ଏସବୁ ବ୍ୟତୀତ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ଜାତୀୟ ଏତିହ୍ୟ ପ୍ରାଧିକରଣ(ଏନଏମଏ) ବାଇ-ଲ’ର ପ୍ରକୃତ ତଥ୍ୟ ବିଜେପି ରଖିବା ସହ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିବାକୁ ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏହି ବିଧାୟକ ଦଳ ବୈଠକରେ ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ସମେତ ଅଧିକାଂଶ ଦଳୀୟ ବିଧାୟକ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ଶାସକ ବିଜେଡିର ବିଧାୟକ ଦଳ ବୈଠକ ଓ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବିଧାୟକ ଦଳ ବୈଠକ ପୂର୍ବରୁ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଯେକୌଣସି ବିଷୟ ବିଧାନସଭାରେ ଉଠାଯିବ, ତା’ ଉପରେ ଆଲୋଚନା କରାଯିବ । ତେବେ ବିଧାୟକ ଦଳ ବୈଠକରେ ସମସ୍ତ ରଣନୀତି ଚୂଡ଼ାନ୍ତ ହେବ ।

Leave a Reply

Your email address will not be published. Required fields are marked *

Most Popular

Exit mobile version