Latest

ଭୁବନେଶ୍ୱରରେ ସେଣ୍ଟର ଅଫ୍ ଏକ୍ସିଲେନ୍ସି ଅନ୍ ମେରାଇନ୍ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା ହେଉ: ଧର୍ମେନ୍ଦ୍ର

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟର ବିସ୍ତୃତ ସମୁଦ୍ରକୂଳ ଓ ପ୍ରାକୃତିକ ପରିବେଶ ସୁରକ୍ଷାର ସନ୍ତୁଳନକୁ ଦୃଷ୍ଟିରେ ରଖି ଗବେଷଣା ନିମନ୍ତେ ଭୁବନେଶ୍ୱରସ୍ଥିତ ଲାଇଫ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଆଇଏଲଏସ) ଠାରେ ସେଂଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ଏନେଇ କେନ୍ଦ୍ର ଭୂପୃଷ୍ଠ ବିଜ୍ଞାନ,ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ,ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସୁଦୀର୍ଘ ସୁନ୍ଦର ବେଳାଭୂମି ବର୍ଷବର୍ଷ ଧରି ରାଜ୍ୟର ଏକ ହଲମାର୍କ ଭାବେ ପରିଗଣିତ ହୋଇଛି । ମତ୍ସ୍ୟ ଚାଷ, ପର୍ଯ୍ୟଟନ,ବାଣିଜ୍ୟ ଏବଂ ଲଜିଷ୍ଟିକ୍ ତଥା ଆନୁଷାଙ୍ଗିକ କାମରେ ନିୟୋଜିତ ଥିବା ବିଭିନ୍ନ ବର୍ଗର ଲକ୍ଷାଧିକ ଲୋକଙ୍କୁ ଏହି ବେଳାଭୂମି ରୋଜଗାର ଦେଉଛି । ସମୁଦ୍ର ଆଧାରିତ ନୀଳ ଅର୍ଥନୀତି ପାଇଁ ବିଗତ ୬ ବର୍ଷ ଧରି ଓଡ଼ିଶାର ସୁଦୀର୍ଘ ବେଳାଭୂମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରବିନ୍ଦୁରେ ରହିଛି । ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ଓଡ଼ିଶାର ପର୍ଯ୍ୟଟନ ତଥା ଏଭଳି କ୍ଷେତ୍ର ପାଇଁ ଏକ ମେରୁଦଣ୍ଡ ଭାବରେ ପରିଗଣିତ ହୋଇଛି । ସେହିପରି ପାରାଦୀପ ବନ୍ଦର, ଆଇଓସିଏଲ ପାରାଦୀପ ବିଶୋଧନାଗାର, ପାରାଦୀପ ସ୍ମାର୍ଟ୍ ବନ୍ଦର ସହର ଭଳି ସଂପ୍ରସାରଣ ଓ ବିକାଶମୂଳକ ପ୍ରକଳ୍ପ, ଧାମରା ଏଲଏନଜି ଟର୍ମିନାଲ, ପ୍ରସ୍ତାବିତ ଦୀଘା-ଗୋପାଳପୁର କୋଷ୍ଟାଲ ହାଇୱେର ବିକାଶ ତଥା ପ୍ରତିଷ୍ଠା ହେବାକୁ ଥିବା ପାରାଦୀପ ଏବଂ ବାଲେଶ୍ୱରରେ ମାଛଧରା ବନ୍ଦର ସମୁଦ୍ର ଆଧାରିତ ଅର୍ଥନୀତିର ସଠିକ୍ ସମ୍ଭାବନାର ସମ୍ଭାର ଖୋଲିବା କରିବା ସହ ଓଡ଼ିଶା ଓ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଏହିଭଳି ଶିଳ୍ପଭିତିକ ଅର୍ଥନୀତିର ବିକାଶ ନିଶ୍ଚିତ ଭାବରେ ପରିବେଶ ସଂରକ୍ଷଣ ସହ ସନ୍ତୁଳନ ରଖାଯିବା ଆବଶ୍ୟକ । ତେଣୁ ସାମୁଦ୍ରିକ ବାୟୋ-ଟେକ୍ନୋଲୋଜି ଜରିଆରେ ନୋଭେଲ୍ ଆପ୍ରୋଚେସକୁ ବିକଶିତ କରାଯାଉଥିବାରୁ ଏହି ଉତ୍କୃଷ୍ଟ ସାମୁଦ୍ରିକ ପରିସଂସ୍ଥାନ ଯଥା ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦେବା ସ୍ଥାନ ଏବଂ ଉପକୂଳ ଅଂଚଳରେ ଥିବା ଗଛ ବିଶେଷ ଭାବରେ ଲୁଣି ହେନ୍ତାଳ ଗଛ ଗୁଡିକର ସଂରକ୍ଷଣ ପାଇଁ ପୁଞ୍ଜିନିବେଶ କରିଯିବା ଏକାନ୍ତ ଆବଶ୍ୟକ । ପରିବେଶ ସଂରକ୍ଷଣ କ୍ଷେତ୍ର ଗୁଡ଼ିକରେ ଭୁବନେଶ୍ୱରସ୍ଥିତ ଲାଇଫ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ ବିଭିନ୍ନ ଗବେଷଣା ମାଧ୍ୟମରେ ଆଂଚଳିକ ଜୈବ ସମ୍ବଳର ପରିଚାଳନା, ଇକୋ ସଂରକ୍ଷଣ ଉଦ୍ୟମ ଏବଂ ସାମୁଦ୍ରିକ ଉତ୍ସର ସଠିକ୍ ବ୍ୟବହାର ସପକ୍ଷରେ ଏକାଧିକ ପ୍ରକାଶନୀ ଓ ପେଟେଂଟ ଦ୍ୱାରା ପ୍ରମାଣିତ କରିଛି ।
ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଉତ୍କୃଷ୍ଟ ସାମୁଦ୍ରିକ ପରିସଂସ୍ଥାନର ସନ୍ତୁଳନ ଏବଂ ଏହାର ନୀଳ ଅର୍ଥନୀତିର ଅଭିବୃଦ୍ଧି ପରିପ୍ରେକ୍ଷୀରେ ଏହିସବୁ କ୍ଷେତ୍ରଗୁଡ଼ିକରେ ବୈଜ୍ଞାନିକ ଗବେଷଣା ଉପରେ ଅଧିକ ଧ୍ୟାନ ଦେବା ନେଇ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version