ରାଜନୀତି

ମମତା-ସିବିଆଇ ମୁହାଁମୁହିଁ : ବିଜେଡି ରଖିଲା ମତ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଓ ସିବିଆଇ ମୁହାଁମୁହିଁ ହେବା ଘଟଣାରେ ବିଜେଡି ଆଜି ମତ ରଖିଛି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଲୋକସଭାରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିବାବେଳେ ଭୁବନେଶ୍ୱରରେ ମୁଖପାତ୍ର ସସ୍ମିତ ପାତ୍ର ଏବଂ ପରେ ନ୍ୟୁଜ୍ ଏଜେନ୍ସି ‘ଏଏନଆଇ’ ମାଧ୍ୟମରେ ଦଳ ନିଜର ମତ ରଖିଛି। ଦଳ ସିବିଆଇର କାର୍ଯ୍ୟଶୈଳୀକୁ ନାପସନ୍ଦ କରି କଡ଼ା ସମାଲୋଚନା କରିଥିବାବେଳେ ମମତା ବାନାର୍ଜୀଙ୍କୁ ସମର୍ଥନ କରେନି ବୋଲି ସ୍ପଷ୍ଟ କରିଛି।
ଆଜି ଲୋକସଭାରେ ଶୂନ୍ୟକାଳରେ ବିଜେଡି ସଂସଦୀୟ ଦଳ ନେତା ଶ୍ରୀ ମହତାବ “ସିବିଆଇର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା ସହ ଜଣେ ମୁଖ୍ୟମନ୍ତ୍ରୀ ରାସ୍ତାରେ ବସିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। କିଛି ବ୍ୟକ୍ତିଙ୍କ ସ୍ୱାର୍ଥ ସାଧାନ ପାଇଁ ସିବିଆଇ କାମ କରୁଛି। ପଶ୍ଚିମବଙ୍ଗରେ ଗତକାଲି ଯାହା ଘଟିଲା, ସିବିଆଇର କିଛିବର୍ଷର ଆଚରଣର ଏହା ପ୍ରତିଫଳନ। କେନ୍ଦ୍ର ସରକାର ଶୀଘ୍ର ଏଥିରେ ହସ୍ତକ୍ଷେପ କରନ୍ତୁ ଓ ସମାଧାନର ରାସ୍ତା ଶୀଘ୍ର ବାହାର କରନ୍ତୁ । ସିବିଆଇ ପେଷାଦାର ଅନୁଷ୍ଠାନ ଭଳି କାର୍ଯ୍ୟ କରୁ ବୋଲି ବିଜେଡି ଚାହେଁ।”
ମହତାବଙ୍କ ଏହି ବୟାନର କିଛି ସମୟ ନପୁରୁଣୁ ଦଳର ମୁଖପାତ୍ର ଡଃ ପାତ୍ର ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ ଯେ, “ ଆମେ ଏକ ସମୃଦ୍ଧ ଗଣତାନ୍ତ୍ରିକ ରାଷ୍ଟ୍ର ଓ ସେଠାରେ ପେଷାଦାର ନୀତି ବଜାୟ ରହିବା ଜରୁରୀ। ଏପରିକି ଅତୀତରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନର ଠିକ ପୂର୍ବରୁ ସିବିଆଇ ଅଚାନକ ସକ୍ରିୟ ହୋଇପଡ଼ିଥିଲା। ଏବେ ସାଧାରଣ ନିର୍ବାଚନ ପୂର୍ବରୁ ଅଣପୋଷାଦାର ଆଚରଣ କରୁଛି, ଯାହାକି ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ।”

ତେବେ ମମତା ବାନାର୍ଜୀ ସରକାର ଓ ସିବିଆଇ ମୁହାଁମୁହିଁ ହେବା ପ୍ରସଙ୍ଗରେ ଦଳର ଏହି ଆଭିମୁଖ୍ୟ ମମତାଙ୍କ ପ୍ରତି ବିଜେଡିର ସମର୍ଥନ ବୋଲି ଗଣମାଧ୍ୟମରେ ପ୍ରଚାର ହେବାପରେ ଦଳ ପୁଣିଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଆଗେଇ ଆସିଛି। ନ୍ୟୁଜ ଏଜେନ୍ସୀ ‘ଏଏନଆଇ’ରେ ପ୍ରକାଶିତ ଟ୍ୱିଟରେ ବିଜେଡି ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରି କହିଛି ଯେ “ବିଜେଡି ଦ୍ୱାରା ଦିଆଯାଇଥିବା ବୟାନ ଓଡ଼ିଶା ଓ ଜାତୀୟସ୍ତରରେ ସିବିଆଇ ମୁହାଁମୁହିଁ ହେବା ସମ୍ବନ୍ଧିତ । ଏହି ବୟାନ ଯୋଗୁ କେତେକ ରାଜନୀତିକ ଦଳର ଗୋଷ୍ଠୀ ସହ ବିଜେଡିକୁ ଯୋଡ଼ାଯିବା ଅନୁଚିତ୍ ଓ ଭ୍ରମାତ୍ମକ ।”

Leave a Reply

Your email address will not be published. Required fields are marked *

Most Popular

Exit mobile version