ରାଜ୍ୟ
ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ହଜାରେ କୋଟି ଋଣ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ରାଜ୍ୟ ସରକାର ଏକ ହଜାର କୋଟି ଟଙ୍କାର ଋଣ ଆଣିବେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଆନୁଷ୍ଠାନିକ ପ୍ରସ୍ତାବକୁ ଅର୍ଥ ବିଭାଗ ଅନୁମୋଦନ କରିଛି । ମିଳିଥିବା ସୂଚନା ଅନୁସାରେ ବ୍ରିକ୍ସ ଉନ୍ନୟନ ବ୍ୟାଙ୍କରୁ ରାଜ୍ୟ ସରକାର ଏହି ଅର୍ଥକୁ ଦୀର୍ଘମିଆଦୀ ଋଣ ଆକାରରେ ଆଣିବେ । ୨୦୧୭-୧୮ ଆର୍ଥିକ ବର୍ଷର ବଜେଟ୍ରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୩୯୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ଏହି ହଜାରେ କୋଟି ଟଙ୍କା ଋଣ ଆଣି ୩୭୨ଟି ଜନବସତିକୁ ସଂଯୋଗ ନିମନ୍ତେ ୧୧୪୯ କିମି ଦୈର୍ଘ୍ୟ ନିର୍ମାଣ କରାଯିବ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୧୯ଟି ପ୍ରୋଜେକ୍ଟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସୂଚନାଯୋଗ୍ୟ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପାଣ୍ଠି ମଞ୍ଜୁର ହେଉଥିଲେ ମଧ୍ୟ ଗାଇଡ୍ଲାଇନ୍ରୁ ବାଦ୍ ପଡ଼ୁଥିବା ରାଜ୍ୟର ଜନବସତିକୁ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ସଂଯୋଗ କରାଯାଉଛି ।