ରାଜ୍ୟ
ରତ୍ନ ଭଣ୍ଡାରର ମରାମତି ଆବଶ୍ୟକ : ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ମରାମତି ହେବାର ଆବଶ୍ୟକତା ଦେଖାଦେଇଛି । ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଏନେଇ ଯାଞ୍ଚ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି ।
ପୁରୀ ଶ୍ରୀମନ୍ଦିରରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରତ୍ନ ଭଣ୍ଡାରର ଯାଞ୍ଚ କରିବା ପରେ ସନ୍ଧ୍ୟାରେ ଭୁବନେଶ୍ୱରରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ପେଶାଲ ସର୍କିଟ ହାଉସ୍ରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟି ସଦସ୍ୟଗଣ ଓ ପ୍ରତ୍ନତତ୍ତ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଶ୍ରୀ ଜେନା କହିଛନ୍ତି ଯେ, ମୁଖ୍ୟତଃ ୩ଟି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା । ପ୍ରଥମତଃ, ରତ୍ନ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ପ୍ରସଙ୍ଗରେ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା । ଦ୍ୱିତୀୟତଃ, ଜଗମୋହନ ଖୋଲିବା ପ୍ରସଙ୍ଗରେ ଆସନ୍ତାକାଲି ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିବାର ଅଛି । ତେଣୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତୃତୀୟତଃ, ଜଗମୋହନ ଭିତରକୁ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯିବ । ଏହା ପରେ ନାଟମଣ୍ଡପର ମରାମତି କାର୍ଯ୍ୟ ହେବ । ନାଟମଣ୍ଡପର ମରାମତି ପ୍ରସଙ୍ଗରେ ହାଇକୋର୍ଟ ଜାଣିବାକୁ ଚାହିଁଥିବାରୁ ସତ୍ୟପାଠ ମାଧ୍ୟମରେ ତାହା ଅବଗତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏସବୁ ବ୍ୟତୀତ ରତ୍ନ ଭଣ୍ଡାରର ମରାମତି ଆବଶ୍ୟକ ଥିବାରୁ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍ଆଇ)କୁ ୭ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି । ଏହି ରିପୋର୍ଟ ମିଳିବା ପରେ ଆବଶ୍ୟକୀୟ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବୈଠକରେ ସେବାୟତଙ୍କ ଅଧିକାର ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ଭିତର ରତ୍ନ ଭଣ୍ଡାର ଖୋଲା ନଯିବା ପ୍ରସଙ୍ଗରେ ମୁଖ୍ୟ ପ୍ରଶାସକ ଶ୍ରୀ ଜେନା କହିଛନ୍ତି ଯେ, ସମସ୍ତ ଭଣ୍ଡାର ଖୋଲିବା ପାଇଁ ପ୍ରାଧିକୃତ ଟିମ୍ ଚାବି ନେଇ କରି ଯାଇଥିଲା । କିନ୍ତୁ ଭିତରର ୨ଟି ଭଣ୍ଡାରର ସ୍ଥିତି ହାଇମ୍ୟାକ୍ସ୍ ଲାଇଟ୍ରେ ଦେଖାଯାଉଥିବାରୁ ଭିତରକୁ ଯିବାକୁ ଆବଶ୍ୟକ ମନେ କରାଗଲାନି । ପରିଚାଳନା କମିଟି ବୈଠକରେ ପୁରୀ ଜିଲ୍ଲାପାଳ,ଏସ୍ପିଙ୍କ ସମେତ ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।