Latest
ରାଜ୍ୟରେ ହୋଇନି ଶତପ୍ରତିଶତ ବିଦ୍ୟୁତିକରଣ
ଭୁବନେଶ୍ୱର(ଓଡ଼ିଶା ୱେୟାର):୨୦୧୮ ଜୁନ୍ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ବିଦ୍ୟୁତିକରଣ ଓ ୨୦୧୯ ମାର୍ଚ୍ଚ ସୁଦ୍ଧା ସମସ୍ତ ପରିବାରକୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିଲେ ମଧ୍ୟ ଏବେବି ୮୩୭ଟି ପଡ଼ା ଗାଁକୁ ବିଦ୍ୟୁତିକରଣ ସମ୍ଭବପର ହୋଇପାରିନି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରମ୍ବାର ସମୀକ୍ଷା ଓ ସମସ୍ତଙ୍କୁ ବିଦ୍ୟୁତ ଯୋଗାଇବାକୁ ଟାର୍ଗେଟ୍ ଦେଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ରାଜ୍ୟରେ ଶତପ୍ରତିଶତ ବିଦ୍ୟୁତିକରଣ ସମ୍ଭବ ହୋଇନି । ବିଧାନସଭାରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏକ ଲିଖିତ ପ୍ରଶ୍ନର ଦେଇ କହିଛନ୍ତି ଯେ, ରାଜ୍ୟର ୩ଟି ଜିଲ୍ଲାର ୮୩୧ଟି ପଡ଼ା ଗାଁକୁ ବିଦ୍ୟୁତିକରଣ କାର୍ଯ୍ୟ ବାକି ଅଛି । ସର୍ବାଧିକ ଗଜପତି ଜିଲ୍ଲାର ୪୪୭ଟି ଗାଁ, କୋରାପୁଟ ୩୫୩ଟି ଗାଁ ଓ କନ୍ଧମାଳର ୩୧ଟି ଗାଁକୁ ବିଦ୍ୟୁତିକରଣ ବାକି ରହିଛି । ତେବେ ଡିଡିୟୁଜିଜେୱାଇ ଯୋଜନାରେ ୨୦୨୧ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଓ ସୌଭାଗ୍ୟ ଯୋଜନାରେ ଡିସେମ୍ବର ୩୧ତାରିଖ ସୁଦ୍ଧା ଏସବୁ ପଡ଼ା-ଗାଁ କୁ ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପଦକ୍ଷେପ ନିଆଯାଉଛି । ଅବଶ୍ୟ ରାଜ୍ୟର ସମସ୍ତ ୪୭୬୭୭ଟି ଗାଁକୁ ବିଭିନ୍ନ ସରକାରୀ ଯୋଜନାରେ ବିଦ୍ୟୁତିକରଣ କରାଯାଇଛି । ତେବେ କେତେକ ଅଞ୍ଚଳରେ ଅତିରିକ୍ତ ବିଦ୍ୟୁତ ଭିତ୍ତିଭୂମିର ଆବଶ୍ୟକତା ଥିବାରୁ ଏହି ସୁଦୃଢ଼ୀକରଣ କାର୍ଯ୍ୟ ଚାଲିଛି ବୋଲି ଶ୍ରୀ ମିଶ୍ର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ।