Latest
ରାସନ୍ କାର୍ଡଧାରୀଙ୍କୁ ଠକି ତଣ୍ଡ ଗଣିଲେ ୨୬୧ଟି ଦୋକାନ
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ସୁଲଭ ମୂଲ୍ୟ ଦୋକାନ(ଫେୟାର ପ୍ରାଇସ୍ ସପ୍)ଗୁଡ଼ିକ ଓଜନ ଓ ମାପରେ ଠକାମି କରି ଜୋରିମାନା ଗଣିଛନ୍ତି । ରାସନ୍ କାର୍ଡଧାରୀଙ୍କୁ ମାସିକ ଚାଉଳ ଓ ଅନ୍ୟାନ୍ୟ ଖାଉଟି ସାମଗ୍ରୀ ଯୋଗାଣ କରୁଥିବା ଏହି ସୁଲଭ ମୂଲ୍ୟ ଦୋକାନଗୁଡ଼ିକ ଚଳାଇଥିବା ଅନିୟମିତତାକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଅନିୟମିତତାରେ ଧରାପଡ଼ିଥିବା ୨୬୧ଟି ସୁଲଭ ମୂଲ୍ୟ ଦୋକାନଗୁଡ଼ିକଠୁ ୪ଲକ୍ଷ ୯୬ହଜାର ୮୦୦ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବୈଧମାପ ବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସବୁ ସୁଲଭ ମୂଲ୍ୟ ଦୋକାନଗୁଡ଼ିକରେ ଓଜନ ଯନ୍ତ୍ର ଓ ଅନ୍ୟାନ୍ୟ ଉପକରଣଗୁଡ଼ିକର ବ୍ୟାପକ ଯାଂଚ କରାଯାଇଥିଲା । ମେ’ ମାସରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଯାଂଚ ୩୬୦୦ଟି ସୁଲଭ ମୂଲ୍ୟ ଦୋକାନରେ ହୋଇଥିବାବେଳେ ସେଥିରୁ ୨୬୧ଟି ଦୋକାନ ଅନିୟମିତତା କରୁଥିବା ଜଣାପଡ଼ିଥିଲା । ସେମାନଙ୍କଠୁ ଜୋରିମାନା ବାବଦରେ ୪ଲକ୍ଷ ୯୬ହଜାର ୮୦୦ଟଙ୍କା ଆଦାୟ କରାଯାଇଛି ।
ସୂଚନାଯୋଗ୍ୟ, ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନକାର୍ଡଧାରୀମାନଙ୍କୁ ଏହି ସୁଲମ ମୂଲ୍ୟ ଦୋକାନ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଥାଏ ।