ରାଜ୍ୟ
ଶ୍ରୀମନ୍ଦିରରେ ୯୬୦୬ଜଣ ସେବାୟତ : ରତ୍ନ ଅଳଙ୍କାର ୩୫ହଜାର ଭରି
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରାୟ ୩୫ହଜାର ଭରି ସୁନା,ରୂପା,ଅନ୍ୟାନ୍ୟ ରତ୍ନ ଅଳଙ୍କାର ଓ ସାମଗ୍ରୀ ରହିଛି । ଶ୍ରୀମନ୍ଦିରକୁ
ଦାନସୂତ୍ରରେ ପ୍ରତିବର୍ଷ ୮ରୁ ୧୦କୋଟି ମିଳୁଥିବାବେଳେ ଶ୍ରୀଜଗନ୍ନାଥଙ୍କ ଜମିରୁ ବାର୍ଷିକ ପ୍ରାୟ ଏକ କୋଟି ଟଙ୍କା ମିଳିଥାଏ । ଶ୍ରୀଜୀଉଙ୍କ ନୀତିକାନ୍ତି ପାଇଁ ଏବେ ୭୨ଟି ସେବା ପ୍ରଚଳିତ ରହିଛି ଓ ୯୬୦୬ଜଣ ସେବାୟତ ପଞ୍ଜିକୃତ ହୋଇଛନ୍ତି । ଏହି ସେବାୟତଙ୍କୁ ବାର୍ଷିକ ସ୍ୱାସ୍ଥ୍ୟବୀମା, ଛାତ୍ରଛାତ୍ରୀଙ୍କୁ ବୃତ୍ତି, ବିଧବା,ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ସହ ବିବାହ,ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ ।
ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଓ ସେବାୟତଙ୍କୁ ଦିଆଯାଉଥିବା ସୁବିଧାସୁଯୋଗ ସଂକ୍ରାନ୍ତ ଅନେକ ତଥ୍ୟକୁ ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ ଉଜାଗର କରିଛନ୍ତି । ବିଧାୟକ ଦିଲ୍ଲୀପ ରାୟ, ଭାଗିରଥୀ ବଡ଼ଜେନା, ସଞ୍ଜିବ ସାହୁ ଓ ଆକାଶ ଦାସନାୟକଙ୍କଙ୍କ ବିଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଶ୍ରୀମନ୍ଦିର ପରିଚାଳନା କିମିଟି ଦ୍ୱାରା ୧୯୭୮ ମେ’୧୩ରୁ ଜୁଲାଇ ୨୩ତାରିଖ ମଧ୍ୟରେ ରତ୍ନଭଣ୍ଡାରରେ(ଭିତର ଓ ବାହାର) ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା । ସେହି ତାଲିକା ଅନୁସାରେ ରତ୍ନଭଣ୍ଡାରରେ ସୁନା ଅଳଙ୍କାର,ମୂଲ୍ୟବାନ ପଥର ଓ ଅନ୍ୟାନ୍ୟ ଜିନିଷର ପରିମାଣ ୧୨,୮୩୧ ଭରି ୧ ଅଣା ହୋଇଥିବାବେଳେ ରୂପା ବାସନ,ମୂଲ୍ୟବାନ ପଥର, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷର ଓଜନ ୨୨,୧୫୩ଭରି । ଏହାଛଡ଼ା ୧୪ଟି ସୁନା ଓ ରୂପା ଜିନିଷକୁ ବିଭିନ୍ନ କାରଣରୁ ଓଜନ କରାଯାଇନଥିବାରୁ ଏହାର ପରିମାଣ ଏହି ତାଲିକାରେ ସାମିଲ କରାଯାଇ ପାରିନାହିଁ । ସେହିପରି ଶ୍ରୀମନ୍ଦିରକୁ ହୁଣ୍ଡି, ବ୍ୟାଙ୍କ ଓ ମନି ଅର୍ଡର ମାଧ୍ୟମରେ ଦାନ ସୂତ୍ରରେ ୨୦୧୫-୧୬ରେ ୭.୨୫କୋଟି ଟଙ୍କା, ୨୦୧୬-୧୭ରେ ୮.୮୮କୋଟି ଟଙ୍କା ଓ ୨୦୧୭-୧୮ରେ ୯.୭୯ କୋଟି ଟଙ୍କା ମିଳିଥିବାବେଳେ ଶ୍ରୀଜଗନ୍ନାଥଙ୍କ ୩୩,୮୪୪ ଏକର ପରିମିତ ଜମିରୁ ପ୍ରାୟ ୧କୋଟି ୧୧ଲକ୍ଷ ୬୦ହଜାର ଟଙ୍କା ରାଜସ୍ୱ ମିଳିଛି । ଅପରପକ୍ଷରେ ୨୦୧୭-୧୮ରେ ମହାପ୍ରଭୁଙ୍କ ନୀତି ପାଇଁ ୨୦.୬୦ କୋଟି ଟଙ୍କା ଓ ପରିଚାଳନା ପାଇଁ ୨୨.୪୭କୋଟି ଟଙ୍କା ବ୍ୟୟ ହୋଇଛି । ଏହି ଖର୍ଚ୍ଚ ମଧ୍ୟରେ ସେବାୟତ ପରିବାରଙ୍କୁ ଦିଆଯାଉଥିବା ୫୪୩ଜଣଙ୍କୁ ମାସିକ ଭତ୍ତା, ୪୮୫ଜଣଙ୍କୁ ଛାତ୍ର ବୃତ୍ତି, ୯୬୦୯ଜଣଙ୍କୁ ସ୍ୱାସ୍ଥ୍ୟବୀମା, ଆର୍ଥିକ ସହାୟତା ଆଦି ସାମିଲ ରହିଛି । ମନ୍ତ୍ରୀ ଶ୍ରୀ ଜେନାଙ୍କ କହିବା ଅନୁସାରେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ୧୧୯ ପ୍ରକାର ସେବାରୁ ଏବେ ୭୨ଟି ବର୍ଗର ୨୨୦୨ଟି ସେବକ ପରିବାରର ୯୬୦୯ଜଣ ସେବକ ସଦସ୍ୟଙ୍କ ନାଁ ପଞ୍ଜିକୃତ ହୋଇଛି । ଏହି ସେବାୟତ ପରିବାରର ୪୧୫ଜଣଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ୯୭ଜଣ ବରିଷ୍ଠ ସେବକଙ୍କୁ ଭତ୍ତା ଓ ୩୧ଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।