Latest
ସୁପ୍ରିମକୋର୍ଟଙ୍କୁ ମିଛ ସତ୍ୟପାଠ ଦେଇଛନ୍ତି ରାଜ୍ୟ ସରକାର: କଂଗ୍ରେସ
ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟରେ ଆଇନଶୃଙ୍ଖଳା ଭୁଷୁଡ଼ି ପଡ଼ିଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛି । ଗୋଟିଏ ମିଛକୁ ସତ କରିବାକୁ ବାରମ୍ବାର ସୁପ୍ରିମକୋର୍ଟରେ ରାଜ୍ୟ ସରକାର ମିଛ କହୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଶ୍ୱେତପତ୍ର ଜାରି ନିମନ୍ତେ ଦାବି କରିଛି । କେଉଁ କାରଣରୁ ସୁପ୍ରିମକୋର୍ଟରେ ମିଥ୍ୟ ସତ୍ୟପାଠ ଦାଖଲ ହୋଇଛି ସେ ନେଇ ଗୃହ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କଂଗ୍ରେସ ଦାବି କରୁଛି ।
କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ରାଜ୍ୟରେ ଦଣ୍ଡ ହାର ଜାତୀୟ ଦଣ୍ଡହାର ଠାରୁ ସର୍ବନିମ୍ନ । ଲକ୍ଡାଉନ୍ ସମୟରେ ନାରୀ ନିର୍ଯାତନା ଶୀର୍ଷରେ । ନିଖୋଜ ଶିଶୁଙ୍କୁ ଖୋଜିବାରେ ରାଜ୍ୟ ପୁଲିସର ସଫଳତା ହାର ମାତ୍ର ୨୭ ପ୍ରତିଶତ, ଯାହା ଜାତୀୟ ସ୍ତର ଠାରୁ ସର୍ବନିମ୍ନ । ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁଲିସ ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ରାଜ୍ୟ ସରକାର ବାରମ୍ବାର ମିଥ୍ୟା ସତ୍ୟପାଠ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେବଳ ସୁପ୍ରିମକୋର୍ଟଙ୍କୁ ମିଛ କହିନାହାନ୍ତି, ରାଜ୍ୟର ସାଢ଼େ ଚାରି କୋଟି ଜନତାଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି ତଥ୍ୟପ୍ରମାଣ ସହ ସେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ୨୦୦୬ ସେପ୍ଟେମ୍ବର ୨୨ ତାରିଖରେ କେନ୍ଦ୍ର ସରକାର ଓ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାରଙ୍କୁ ପୁଲିସ ସଂସ୍କାର ପାଇଁ ଏକ ମାର୍ଗଦର୍ଶିକା ଜାରି କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ଓ ଆଇନଶୃଙ୍ଖଳାକୁ ପୃଥକ୍ କରିବା ନିମନ୍ତେ ମଧ୍ୟ ସୁପ୍ରିମକୋର୍ଟ କହିଥିଲେ । ଏହାର ଜବାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ଗୃହ ବିଭାଗ ୨୦୦୭ ଏପ୍ରିଲ ୧୧, ୨୦୦୮ ଜାନୁୟାରୀ ୨୫ ଓ ୨୦୧୩ ଏପ୍ରିଲ ପହିଲାରେ ତିନି ତିନି ଥର ସୁପ୍ରିମ୍କୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରି କହିଥିଲେ ଯେ,୨୦୦୭ ଏପ୍ରିଲ ୬ତାରିଖରେ ଗୃହ ବିଭାଗର ବିଜ୍ଞପ୍ତି ସଂଖ୍ୟା – ୧୮୪୧୫ ମାଧ୍ୟମରେ ରାଜ୍ୟ ସରକାର ରାଜ୍ୟର ପ୍ରମୁଖ ଦୁଇଟି ସହର ଭୁବନେଶ୍ୱର ଓ କଟକ କମିଶନରେଟ୍ ପୁଲିସରେ ଆଇନ୍ଶୃଙ୍ଖଳା ଏବଂ ତଦନ୍ତ ସଂସ୍ଥାକୁ ପୃଥକ୍ ପୃଥକ୍ କରି ସାରିଛନ୍ତି ବୋଲି ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ । କିନ୍ତୁ ସୂଚନା ଅଧିକାର ଆଇନର ତଥ୍ୟ ଅନୁସାରେ ଏବେବି କମିଶନରେଟ ପୁଲିସରେ କୌଣସି ଗୋଟିଏ ଥାନାରେ ବି ଆଇନଶୃଙ୍ଖଳା ଓ ତଦନ୍ତ ପୃଥକ ହୋଇନାହିଁ । ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ବାରମ୍ବାର ମିଛ କହିବା ସହିତ ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କୁ ମଧ୍ୟ ଅନ୍ଧାରକୁ ଠେଲି ଦେଇଛନ୍ତି ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ଅମୀୟ ପାଣ୍ଡବ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।