ରାଜନୀତି

୧୭ରେ ପ୍ରତି ନିର୍ବାଚନମଣ୍ଡଳୀରେ ପାଳିତ ହେବ ବିଜୁ ଶ୍ରାଦ୍ଧ ଉତ୍ସବ

Posted on

ଭୁବନେଶ୍ୱର : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ ଆସନ୍ତା ୧୭ତାରିଖରେ ବିଜେଡି ପକ୍ଷରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ । ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବା ପାଇଁ ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।
ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର ଏକ ପ୍ରେସ୍ ରିଲିଜ୍ରେ କହିଛନ୍ତି ଯେ ବିଜୁବାବୁଙ୍କ ତିରୋଧାନ ଦିବସକୁ ଚଳିତମାସ ୧୭ତାରିଖରେ ନିରାଡମ୍ବର ସହକାରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରିବା ପାଇଁ ସଭାପତି ଶ୍ରୀ ପଟ୍ଟନାୟକ ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ସାଂସଦ, ବିଧାୟିକା, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ପରିଷଦ , ବ୍ଲକ ଓ ନଗର ସଭାପତିମାନଙ୍କୁ ଚିଠି ଲେଖିଛନ୍ତି । ଚଳିତବର୍ଷ ଏହି ମହାପୁରୁଷଙ୍କ ପବିତ୍ର ଶ୍ରାଦ୍ଧ ଦିବସକୁ ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଅବିସ୍ମରଣୀୟ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ପବିତ୍ର ଶ୍ରାଦ୍ଧ ଦିବସରେ ବିଜେଡିର ସଦସ୍ୟମାନେ ପ୍ରିୟ ନେତା ବିଜୁବାବୁଙ୍କ ଅଭିଳଷିତ ଓଡ଼ିଶା ଗଠନ ନିମନ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହେବା ସହ ବିଜେଡିର ରାଜ୍ୟବାସୀଙ୍କ ପ୍ରତି ରହିଥିବା ସାମାଜିକ ପ୍ରତିବଦ୍ଧତାର ପରିପୂରଣ ଲାଗି ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ଏହି ତିରୋଧାନ ଦିବସ ପାଳନ ଅବସରରେ ସକାଳ ସାଢ଼େ ୭ଟାରେ ବିଜେଡି ପକ୍ଷରୁ ମେଡିକାଲ୍‍ରେ ରୋଗୀମାନଙ୍କୁ ଫଳବଣ୍ଟନ କାର୍ଯ୍ୟକ୍ରମ ରହିଥିବା ବେଳେ ସକାଳ ସାଢ଼େ ୮ଟା ରେ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ଦଳୀୟ କାର୍ଯ୍ୟାଳୟରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହେବ । ସେହିପରି ଅପରାହ୍ଣ ସାଢ଼େ ୫ଟାରେ ଦୀପ ଦାନ, ସମୂହ ସଂକଳ୍ପ ଏବଂ ସାଧାରଣ ସଭା ଅନୁଷ୍ଠିତ ହେବ । ବିଜୁବାବୁ ଆମ ଦଳର ପ୍ରତ୍ୟେକଙ୍କ ପାଇଁ ନିରନ୍ତର ପ୍ରେରଣାର ଉତ୍ସ ହୋଇ ରହିଥିବେ । ଆଗାମୀ ଦିନରେ ତାଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ହୋଇ ଆମେ ରାଜ୍ୟବାସୀଙ୍କ ସେବାରେ ନିଜକୁ ପୂର୍ଣ୍ଣ ପ୍ରାଣରେ ନିୟୋଜିତ ହେବାକୁ ସଂକଳ୍ପ ନେଇ କାର୍ଯ୍ୟ କରିବା ପାଇଁ ଦଳର ସଭାପତି ପରାମର୍ଶ ଦେଇଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version