ରାଜ୍ୟ
୩ମାସ ଧରି ସବୁ ପଂଚାୟତରେ ବୁଲିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପ୍ରଚାର ରଥ
ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ବାହାରିଥିବା ରଥ ଆସନ୍ତା ତିନିମାସ ମଧ୍ୟରେ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳରେ ବୁଲିବ। ରଥ ସହିତ ଥିବା ଲୋକ କଳାକାରମାନେ ବିଭିନ୍ନ ଲୋକକଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବେ। ଏହି ସଚେତନତା ରଥ ଯେଭଳି ଠିକଣା ଭାବେ ସମଗ୍ର ରାଜ୍ୟ ପରିକ୍ରମା କରି ଲୋକଙ୍କୁ ସଚେତନ କରିବ ସେଥିପାଇଁ ପ୍ରସ୍ତୁତ ମାର୍ଗଦର୍ଶିକାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ପ୍ରସ୍ତୁତ ମାର୍ଗନିର୍ଦ୍ଦେଶିକା ଅନୁଯାୟୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂକ୍ରାନ୍ତରେ ସଚେତନତା ପାଇଁ ବାହାରିଥିବା ରଥରେ ଜିଲ୍ଲା କଳା ସଂସ୍କୃତି ସଂଘ, ବ୍ଲକ କଳାସଂସ୍କୃତି ସଂଘ ଓ ନଗର କଳା ସଂସ୍କୃତି ସଂଘର କାଳାକାରମାନେ ରହିବା ସହିତ ଉଭୟ ଗାଁ ସହ ସହର ପରିକ୍ରମା କରିବେ ।
ଆସନ୍ତା ୩ମାସ ମଧ୍ୟରେ ସ୍ୱାସ୍ଥ୍ୟ କଲ୍ୟାଣ ରଥ କଳାକାରମାନଙ୍କ ସହିତ ଯେଭଳି ସମସ୍ତ ପଞ୍ଚାୟତ ଓ
ସହରାଞ୍ଚଳ ପରିକ୍ରମା କରିବ ତାହାର ଏକ ରୋଡ୍ମ୍ୟାପ ପ୍ରସ୍ତୁତ କରିବାକୁ କୁହାଯାଇଛି । ଜିଲ୍ଲା କଳା ସଂସ୍କୃତି କେନ୍ଦ୍ରର ଉପସଭାପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ୱାବଧାନରେ ଏହି ଯାତ୍ରା ହେବ ଏବଂ ଏହାର ସୂଚନା ରାଜ୍ୟ ସ୍ତରୀୟ ଅଧିକାରୀଙ୍କୁ ପ୍ରଦାନ କରାଯିବ ।ଗଞ୍ଜାମ, କୋରାପୁଟ, ମଞ୍ଜୁରଭଞ୍ଜ, ସୁନ୍ଦରଗଡ ଓ ଖୋର୍ଦ୍ଧାର କଳାକାରମାନଙ୍କ ସହିତ ମିଳିତ ଭାବେ ୩୦ ମିନିଟ୍ର ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯିବ । ଅନ୍ୟ ଜିଲ୍ଲାର କଳାକାରମାନେ ଏକଘଣ୍ଟାପର୍ଯ୍ୟନ୍ତ ପ୍ରଦର୍ଶନ କରିବେ ।
ପ୍ରତି ଦଳରେ ଅତି କମ୍ରେ ୧୦ଜଣ କଳାକାର ରହିବେ।ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ନିୟମ ଅନୁଯାୟୀ କଳାକାରମାନେ ପଞ୍ଚାୟତ ସ୍ତରରେ ନିଜେ ଯା’ଆସ କରିବେ।ଖାଦ୍ୟ ଓ ଗମନାଗମନ ଲାଗି ସେମାନଙ୍କୁ ଭତ୍ତା ମିଳିବ।କଳା ପ୍ରଦର୍ଶନ ପାଇଁ ଦୈନିକ ୨୦୦ ଟଙ୍କା କରି ଦିଆଯିବ।ଜିଲ୍ଲା ପକ୍ଷରୁ ଏଥିପାଇଁ ବ୍ୟୟବରାଦ ପ୍ରଦାନ ଲାଗି କୁହାଯାଇଛି।ଗାଁ ଗହଳରେ ସଚେତନତା ରଥ
ପହଞ୍ôଚବାର ଦୁଇ ତିନିଦିନ ପୂର୍ବରୁ ଲୋକଙ୍କୁ ଅବଗତ କରାଯିବ।
ଆବଶ୍ୟକ ସ୍ଥଳେ ଗାଁ କଲ୍ୟାଣ ସମିତି ନିକଟରେ ପଡି ରହିଥିବା ଅର୍ଥକୁ ଏଥିରେ ବ୍ୟବହାର କରାଯାଇ ପାରିବ।ଜିଲ୍ଲା କଳା ସଂସ୍କୃତି ସଂଘର ଅଧ୍ୟକ୍ଷ ଥିବା ଜିଲ୍ଲାପାଳ କଳାକାରମାନଙ୍କୁ ସେମାନଙ୍କ ପାଉଣା ପ୍ରଦାନ କରିବେ।ବ୍ଲକ ସ୍ତରରୁ ବ୍ଲକ କଳା ସଂସ୍କୃତି ସଂଗଠନ ଅଧ୍ୟକ୍ଷ ଥିବା ବିଡିଓ ଓ ପୌରାଞ୍ଚଳରୁ ନଗର କଳା ସଂସ୍କୃତି ସଂଗଠନର ଅଧ୍ୟକ୍ଷ ଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ପ୍ରଦାନ ପରେ ଏହି ଅର୍ଥ ମିଳିବ।ଉକ୍ତ ରିପୋର୍ଟରେ କଳାକାରମାନଙ୍କ ସହିତ ଅଙ୍ଗନବାଡି କର୍ମୀ ଓ ଆଶା ମାନଙ୍କର ସ୍ୱାକ୍ଷର ରହିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି।