ରାଜ୍ୟ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧ କୋଟି ୮୦ ଲକ୍ଷରୁ ଅଧିକ ଉପକୃତ

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର): ଅଗଷ୍ଟ ୧୫ତାରିଖରୁ ଡିସେମ୍ବର ୧୫ ତାରିଖ ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମୋଟ ୧,୮୨,୩୩,୭୩୩ଜଣ ଚିକିତ୍ସା ସୁବିଧା ପାଇଛନ୍ତି । ଏଥିରୁ ୪,୦୫,୭୦୮ଜଣ ରୋଗୀଙ୍କର ଅସ୍ତ୍ରୋପଚାର ହୋଇଥିବାବେଳେ ୭୧,୦୯,୬୭୪ଜଣଙ୍କର ରୋଗ ନିରୂପଣ ଲାଗି ନିଦାନ ଯୋଜନାରେ ମାଗଣା ପରୀକ୍ଷା ହୋଇଛି । ସେହିଭଳି ରୋଗୀଙ୍କ ଆବଶ୍ୟକତାକୁ ଦେଖି ୪୩,୫୧୯ଜଣଙ୍କର ସିଟି ସ୍କାନ, ୨,୫୮,୭୭୩ଜଣଙ୍କର ଏକ୍ସରେ, ୬୨,୭୮୪ଜଣଙ୍କର ଅଲଟ୍ରା ସାଉଣ୍ଡ, ୧୨,୭୯୩ଜଣଙ୍କର ଏମଆରଆଇ ହୋଇଛି । କିଡନୀ ରୋଗରରେ ଆକ୍ରାନ୍ତ ୧୯,୬୮୯ଜଣ ରୋଗୀଙ୍କୁ ମାଗଣା ଡାଏଲିସିସ୍, ୧୬୮୯୨ଜଣ କର୍କଟ ରୋଗୀଙ୍କୁ ବ୍ୟୟବହୁଳ କେମୋଥେରାପି ଏବଂ ୨୪,୭୫୩ଜଣ ଗୁରୁତର ରୋଗୀଙ୍କୁ ଆଇସିୟୁ ସେବା ଯୋଗାଇ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା କାର‌୍ୟ୍ୟକାରୀ ହେଉଥିବା ଆରଏସବିୱାଇ ଯୋଜନାର ଅବଧି ଡିସେମ୍ବର ୩୧ ତାରିଖରେ ସମାପ୍ତ ହୋଇଛି । ଜାନୁୟାରୀ ପହିଲାରୁ ରାଜ୍ୟରେ ଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଆରଏସବିୱାଇ) ଯୋଜନାର ସମସ୍ତ ୪୪,୦୮,୦୭୦ ହିତାଧିକାରୀ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ରେ ସାମିଲ ହେବେ । ତେଣୁ ରାଜ୍ୟରେ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀମାନେ ଯେଭଳି ପୂର୍ବଭଳି ମାଗଣା ଚିକିତ୍ସା ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ସଚିବାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଆରଏସ୍ବିୱାଇ ହିତାଧିକାରୀମାନେ ଯେଭଳି ତୁରନ୍ତ ବିକେକେୱାଇ କାର୍ଡ ପାଇବେ ସେଥି ପାଇଁ ଅଗ୍ରାଧିକାର ଭିତିରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ହିତାଧିକାରୀମାନେ ନିକଟସ୍ଥ ବିକେକେୱାଇ କିଓସ୍କରୁ ପୁରୁଣା ଆରଏସବିୱାଇ କାର୍ଡ ବଦଳରେ ନୂତନ ବିକେକେୱାଇ (ଷ୍ଟ୍ରିମ୍-୨) କାର୍ଡ ସଂଗ୍ରହ କରିବାପାଇଁ ପରାମର୍ଶ ଦିଆଯାଇଛି । ନୂଆ ଯୋଜନାରେ ସାମିଲ ହିତାଧିକାରୀମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିପାଇଁ ଆଶା, ଅଙ୍ଗନବାଡିକର୍ମୀ, ଗାଁ କଲ୍ୟାଣ
ସମିତିମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ ଆବଶ୍ୟକ ପ୍ରଚାର ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଛି । ନୂତନ ଭାବେ ବିକେକେୱାଇ କାର୍ଡଧାରୀମାନେ ଯେଭଳି ସହଜରେ ଚିକିତ୍ସା ସୁବିଧା ପାଇପାରିବେ ସେଥି ପାଇଁ ଦୃଷ୍ଟି ଦେବାକୁ କୁହାଯାଇଛି ।
ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କୃଷି ଉପନିର୍ଦ୍ଦେଶକ, ଅନୁବନ୍ଧିତ ଘରୋଇ ଡାକ୍ତରଖାନାମାନଙ୍କ ସହିତ ବୈଠକକରି ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସଟିଏଫ୍ )ର ନୂତନ ମାର୍ଗଦର୍ଶିକା ଆଧାରରେ ବିକେକେୱାଇ କାର୍ଡଧାରୀମାନେ ଯେଭଳି ନିରବଚ୍ଛିନ୍ନ ସେବା ପାଇବେ ସେଥିପାଇଁ ପରାମର୍ଶ ଦିଆଯାଇଛି । ଓଏସଟିଏଫ୍ ନୂତନ ମାର୍ଗଦର୍ଶିକା ଅନୁଯାୟୀ ମାରାତ୍ମକ ରୋଗରେ ପୀଡିତ ରାଜ୍ୟର ସମସ୍ତ ଗରିବଙ୍କୁ ସରକାରଙ୍କ ଚିକିତ୍ସାପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ । ବିକେକେୱାଇ କାର୍ଡଧାରୀଙ୍କ ବ୍ୟତିତ ଅନ୍ତ୍ୟୋଦୟ ଅନ୍ନଯୋଜନାର ହିତାଧିକାରୀ ଏବଂ ଗ୍ରାମାଚଂଳରେ ବାର୍ଷିକ ୫୦ହଜାର ଓ ସହରାଂଚଳରେ ୬୦ହଜାର ଟଙ୍କାରୁ କମ୍ ଆୟକାରୀମାନେ ଏହି ସୁବିଧା ପାଇପାରିବେ । ଏହାଛଡା ହୃଦରୋଗ,କିଡନୀ ଏବଂ କର୍କଟରେ ପୀଡିତ ରୋଗୀଙ୍କ କ୍ଷେତ୍ରରେ ବାର୍ଷିକ ୩ଲକ୍ଷ ଟଙ୍କାରୁ କମ୍
ଆୟକାରୀ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସୁବିଧା ପାଇପାରିବେ ।ଏ ସଂକ୍ରାନ୍ତରେ ଅଧିକ ବିବରଣୀ ପାଇଁ ଦେୟମୁକ୍ତ ନମ୍ବର ୧୫୫୩୬୯ରେ ଯୋଗାଯୋଗ ପାଇଁ ପରାମର୍ଶ ଦିଆଯାଇଛି ।

ପ୍ରକାଶଥାଉକି ଗତ ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର‌୍ୟ୍ୟକାରୀ ହୋଇଛି । ଏହି ଯୋଜନାରେ ଆରଏସବିୱାଇ ଓ ବିକେକେୱାଇର ପ୍ରାୟ ୭୦ ଲକ୍ଷ ପରିବାରର ସାଢେ ୩କୋଟିରୁ ଅଧିକ ହିତାଧିକାରୀ ଅର୍ନ୍ତଭୁକ୍ତ ହୋଇଛନ୍ତି । ଏମାନଙ୍କୁ ବାର୍ଷିକ ୫ଲକ୍ଷ ଓ ମହିଳାଙ୍କ
କ୍ଷେତ୍ରରେ ୭ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version