ଭୁବନେଶ୍ଵର:ରାଜ୍ୟର ୨୪ଜଣ ବିଧାୟକଙ୍କୁ ଏକକାଳୀନ ଆଜି ବିଧାନସଭା ପକ୍ଷରୁ ବିଭିନ୍ନ ଵର୍ଗରେ ଶ୍ରେଷ୍ଠ ଵିଧାୟକ ଭାବେ ସମ୍ମାନିତ କରାଯାଇଛି। ବିଧାନସଭା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୦୯ରୁ ୨୦୧୬ ମସିହାର ଶ୍ରେଷ୍ଠ ବିଧାୟକ ଭାବେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଢ଼ୌକନ ଓ ଅର୍ଥ ରାଶି ଦେଇ ସମ୍ମାନିତ କରିଥିଲେ।
ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନରେ ୨୦୦୯ ମସିହା ନିମନ୍ତେ ସଞ୍ଜୟ ଦାସବର୍ମା ଓ ୨୦୧୨ ମସିହା ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉତ୍ତରୀୟ, ଉପଢ଼ୌକନ ସହ ୫୦ହଜାର ଟଙ୍କାର ଚେକ୍ ଦେଇ ସମ୍ମାନିତ କରିଥିଲେ। ଏହି ବର୍ଗରେ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ (୨୦୧୦), ସମୀର ରଞ୍ଜନ ଦାଶ (୨୦୧୧), ବିଜୟ କୁମାର ମହାନ୍ତି (୨୦୧୩), ରାସେଶ୍ୱରୀ ପାଣିଗ୍ରାହୀ (୨୦୧୪), ଦିବ୍ୟଶଙ୍କର ମିଶ୍ର (୨୦୧୫) ଓ ପ୍ରଦୀପ ପୁରୋହିତଙ୍କୁ (୨୦୧୬) ମଧ୍ୟ ସମ୍ମାନିତ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୁବ ବର୍ଗଙ୍କୁ ଅଧିକ ସଂଖ୍ୟାରେ ରାଜନୀତିରେ ସାମିଲ ହେବାକୁ ଆହ୍ବାନ କରିଥିଲେ। ସେ କହିଥିଲେ ଯେ, ଆପଣମାନେ କ୍ଷମତାକୁ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା କାର୍ଯ୍ୟରେ ଲଗାଇବା ଉଚିତ୍। ଯଦି ଲୋକଙ୍କୁ ଭଲ ନପାଇବେ ତେବେ କ୍ଷମତା,ଧନ, ପଦଵୀ ମୂଲ୍ୟହୀନ।
ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପୁରସ୍କାର ପ୍ରଦାନକୁ ସ୍ବାଗତ କରିଥିଲେ ମଧ୍ୟ ଏକକାଳୀନ ୮ବର୍ଷର ସମ୍ମାନ ପ୍ରଦାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ପୁରସ୍କାର ପାଇବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଲିକୁଦା-ଏରସମା ବିଧାୟକ ଶ୍ରୀ ମୁଦୁଲି କହିଥିଲେ ଯେ, ଏହି ସମ୍ମାନ ଆମକୁ ଅଧିକ ଦାୟିତ୍ଵବାନ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ଦେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଜୀବନଶୈଳୀରେ ସୁଧାର ପାଇଁ ଯେଉଁ ସ୍ଵପ୍ନ ଦେଖୁଛନ୍ତି ତାକୁ ସାକାର କରିବା ପାଇଁ ଅଧିକ ପ୍ରୟାସ କରିବି।
ସେହିପରି ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ବିଷ୍ଣୁ ଚରଣ ଦାସ (୨୦୦୯), ଅରୁଣ କୁମାର ସାହୁ (୨୦୧୦), ପ୍ରଭାତ କୁମାର ବିଶ୍ୱାଳ (୨୦୧୧), ପ୍ରଫୁଲ୍ଲ ମାଝୀ (୨୦୧୨), ଅମର ପ୍ରସାଦ ଶତପଥୀ (୨୦୧୩), ପ୍ରମିଳା ମଲ୍ଲିକ (୨୦୧୪), ରଣେନ୍ଦ୍ର ପ୍ରତାପ ସ୍ୱାଇଁ (୨୦୧୫) ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ (୨୦୧୬) ସମ୍ମାନିତ କରିଥିଲେ। ତେବେ ବିଧାୟକ ପ୍ରଭାତ ବିଶ୍ବାଳ ଅନୁପସ୍ଥିତ ଥିଲେ। ଏହି ବିଧାୟକମାନଙ୍କୁ ଉତ୍ତରୀୟ, ଉପଢ଼ୌକନ ସହ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
ସେହିପରି ଉତ୍କଳଗୌରବ ମଧୁସୂଦନ ଦାସ ସମ୍ମାନରେ ସୁରେନ୍ଦ୍ର ନାଥ ନାୟକ (୨୦୦୯), ବିମ୍ବାଧର କୁଅଁର (୨୦୧୦), ନିତ୍ୟାନନ୍ଦ ପ୍ରଧାନ (୨୦୧୧), ଉମେଶ ଚନ୍ଦ୍ର ସ୍ୱାଇଁ (୨୦୧୨), ବିକ୍ରମ କେଶରୀ ବର୍ମା (୨୦୧୩), ରାଜେନ୍ଦ୍ର ଢୋଲକିଆ (୨୦୧୪), ସୁରେନ୍ଦ୍ରନାଥ ପରମାଣିକ (୨୦୧୫) ଓ ଚକ୍ରଧର ପାଇକ (୨୦୧୬) ସମ୍ମାନିତ କରିଥିଲେ । ଏହି ବିଧାୟକମାନଙ୍କୁ ଉତ୍ତରୀୟ, ଉପଢ଼ୌକନ ସହ ୭୫ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
ଏହି ଅବସରରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ କ୍ୟାବିନେଟ୍ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।