ରାଜ୍ୟ

ଅଭିଜିତ୍ ଆୟାରଙ୍କୁ ମିଳିଲା ଜାମିନ, ୨୮ରେ ହାଜର ହେବେ

Posted on

ଭୁବନେଶ୍ୱର: ଓଡ଼ିଶା,କୋଣାର୍କ ମନ୍ଦିର ଓ ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପର୍କରେ ଅରୁଚିକର ଓ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ରଙ୍କୁ ଆଜି ପୁଲିସ ଗିରଫ କରିଛି।ତେବେ ୧ଲକ୍ଷ ଟଙ୍କା ବେଲ୍ ବଣ୍ଡରେ ଦିଲ୍ଲୀର ସାକେତ୍ କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେବା ସହ ୨୮ ତାରିଖରେ କୋଣାର୍କ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ପୂର୍ବାହ୍ନରେ ବାଚସ୍ପତି ପ୍ରଦୀପ ଅମାତ୍ ବିଧାନସଭାରେ ପ୍ରଶ୍ନକାଳ ବାତିଲ ଅଭିଜିତ୍ ଆୟାରଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଉପରେ ଆଲୋଚନା କରିବାକୁ ଅନୁମତି ଦେଇଥିବାବେଳେ ଓଡ଼ିଶା ପୁଲିସ୍ ଦିଲ୍ଲୀ ଗସ୍ତରେ ଯାଇ ଆୟାରଙ୍କୁ ତାଙ୍କ ନିଜାମୁଦ୍ଦିନସ୍ଥିତ ବାସଭବନରୁ ଗିରଫ କରିଥିଲା।ପରେ ତାଙ୍କୁ ଦିଲ୍ଲୀର ସାକେତ୍ କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବା ପାଇଁ ଓଡ଼ିଶା ପୁଲିସ୍ ଚାହିଁଥିଲା।କିନ୍ତୁ ଅଭିଜିତଙ୍କ ପକ୍ଷରୁ ୮ଜଣିଆ ଓକିଲଙ୍କ ଟିମ୍ ଯୁକ୍ତି ବାଢ଼ିବା ପରେ କୋର୍ଟ ତାଙ୍କୁ ୧ଲକ୍ଷ ଟଙ୍କାର ବେଲ୍ ବଣ୍ଡରେ ଜାମିନ ପ୍ରଦାନ କରିଥିଲେ।ତେବେ ଅଧିକ ତଦନ୍ତ ପାଇଁ ପୁଲିସକୁ ସହଯୋଗ ନିମନ୍ତେ ଆସନ୍ତା ୨୮ ତାରିଖ ସୁଦ୍ଧା କୋଣାର୍କ ଥାନାରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ସୋସିଆଲ ମିଡିଆରେ ଅଭିଜିତ୍ ଦେଇଥିବା ଅରୁଚିକର ମନ୍ତବ୍ୟ ରାଜ୍ୟର ଲୋକଙ୍କ ଧାର୍ମିକ ଭାବନା ଓ ଭାବାବେଗକୁ ଆଘାତ ଦେଇଛି।ତାଙ୍କୁ ଓଡ଼ିଶା ପୁଲିସର ଏକ ଟିମ୍ ଗିରଫ କରି କୋର୍ଟରେ ହାଜର କରିଥିଲା।ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବାକୁ ପୁଲିସ ଚାହିଁଥିଲା ଓ ତାଙ୍କ ନାଁରେ କୋଣାର୍କ ଏବଂ ଶହୀଦନଗର ଥାନାରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଯାଇଥିଲା। କିନ୍ତୁ କୋର୍ଟ ତାଙ୍କୁ ୧ଲକ୍ଷ ଟଙ୍କାର ବେଲ୍ ବଣ୍ଡରେ ଜାମିନ ପ୍ରଦାନ କରିଥିଲେ।ତାଙ୍କୁ ୨୮ତାରିଖ ସୁଦ୍ଧା କୋଣାର୍କ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି।
ଏପଟେ ଅଭିଜିତ୍ ଦେଇଥିବା ଆପତିଜନକ ମନ୍ତବ୍ୟକୁ ନେଇ ଗତ ୩ଦିନ ଧରି ରାଜ୍ୟରେ ରାଜନୀତିକ ହଟଚମଟ ହୋଇଛି।ଶାସକ ବିଜେଡି ପକ୍ଷରୁ ଗତକାଲି ବିଧାନସଭା ଭିତରେ ଓ ବାହାରେ ଧାରଣା ଦିଆଯାଇଥିବାବେଳେ ଆଜି ବିଧାନସଭାରେ ତାଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ପ୍ରସ୍ତାବ ଆଗତ ହୋଇଥିଲା। ବାଚସ୍ପତି ଆଜି ବିଧାନସଭାର ପ୍ରଶ୍ନକାଳ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁମତି ଦେଇଥିଲେ।ଏହା ସହିତ ଅଭିଜିତଙ୍କ ମନ୍ତବ୍ୟର ଅନୁଧ୍ୟାନ ପାଇଁ ଗୃହ କମିଟି ଗଠନ କରିଛନ୍ତି।ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଧାୟକ ଦେବୀପ୍ରସାଦ ମିଶ୍ର, କନକବର୍ଦ୍ଧନ ସିଂହଦେଓ,ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଞ୍ଜୟ କୁମାର ଦାସବର୍ମା ସଦସ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version