Latest

ଅଗଷ୍ଟ ୧୫ରୁ ଘରେ ମିଳିବ ସବୁ ସରକାରୀ ସେବା : ମୁଖ୍ୟମନ୍ତ୍ରୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ଅଗଷ୍ଟ ୧୫ତାରିଖରୁ ରାଜ୍ୟର ସମସ୍ତ ନାଗରିକଙ୍କୁ ଆଉ କୌଣସି ସରକାରୀ ସେବା ପାଇଁ ସରକାରୀ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସେମାନେ ଏସବୁ ସେବା ଅନଲାଇନରେ କିମ୍ବା କମନ ସର୍ଭିସ ସେଣ୍ଟର ଅବା ଦ୍ୱାରଦେଶରେ ଏହି ସରକାରୀ ସେବା ପାଇପାରିବେ। ରାଜ୍ୟପାଳଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏପ୍ରିଲ ପହିଲା ସୁଦ୍ଧା ସମସ୍ତ ପ୍ରମୁଖ ବିଭାଗର ପାରିଶ୍ରମିକ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯିବ। ଏପ୍ରିଲ ପହିଲାରୁ ସମସ୍ତ ବିଭାଗର ସରକାରୀ ଦେଣନେଣ ଆଇଏଫଏମଏସ ମାଧ୍ୟମରେ କରାଯିବ। ୨୦୨୦ ମାର୍ଚ୍ଚ ୫ତାରିଖ ସୁଦ୍ଧା ସମସ୍ତ ବିଭାଗରେ ‘ମୋ ସରକାର’ ସାମିଲ ହେବ। ଏସବୁ ବ୍ୟତୀତ ପ୍ରତ୍ୟେକ ବିଭାଗ ନିମନ୍ତେ ସଂସ୍କାରମୂଳକ ପରିବର୍ତ୍ତନ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଭଲ କାମ ଦ୍ୱାରା ଲୋକଙ୍କ ବିଶ୍ୱାସ ସରକାର ଜିଣିଛନ୍ତି। ଭଲ କାମ ଜାରି ରଖି ସରକାର କ୍ରମାଗତ ଭାବେ ଲୋକଙ୍କ ଆସ୍ଥା ଜିଣିଛନ୍ତି। ବିକାଶ ଓ ପ୍ରଶାସନର ଏଭଳି ସ୍ତରରେ ଆମେ ପହଂଚିଛୁ ଯେଉଁଠି ଆମକୁ ଅନ୍ୟ ପର୍ଯ୍ୟାୟକୁ ଲମ୍ଫ ପ୍ରଦାନ କରିବାକୁ ପଡ଼ିବ। ଲୋକଙ୍କ ଆକାଂକ୍ଷା ରହିଛି ଓ ଏହାକୁ ଆମକୁ ପ୍ରଭାବୀ ପ୍ରଶାସନ ଦେବାକୁ ପ୍ରୋତ୍ସାହିତ କରୁଛି। ନୂଆ ଓଡ଼ିଶା-ସଶକ୍ତ ଓଡ଼ିଶା ହେଉଛି ଆମର ଲକ୍ଷ୍ୟ । ଗତ ୨୦ବର୍ଷର ଶାସନରେ ଆମେ ଯାହା ପ୍ରତିଶ୍ରୁତି ଦେଇଛୁ ତାହା ପାଳନ କରିଛୁ । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଚାଷୀମାନଙ୍କ ଆୟ ଦ୍ୱିଗୁଣିତ ହୋଇଛି । ଗତ ଦଶନ୍ଧି ମଧ୍ୟରେ ଆମେ ୮୦ଲକ୍ଷ ଲୋକଙ୍କୁ ଦ୍ରାରିଦ୍ର‌୍ୟ ସୀମାରେଖାରୁ ଉର୍ଦ୍ଧ୍ୱକୁ ନେଇପାରିଛୁ । ରାଜ୍ୟର ଚାଷୀ ପରିବାରର ଆୟରେ ସୁଧାର ଆସିନଥିଲେ ଏହା ସମ୍ଭବପର ହୋଇପାରିନଥାନ୍ତା । ଉଦାହରଣସ୍ୱରୂପ ‘କାଳିଆ ଯୋଜନା’ ଏହି ଯୋଜନା ଦେଶ ପାଇଁ ଏକ ମଡେଲ । ପ୍ରାୟ ୫୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଏବଂ ୨୫ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ‘କାଳିଆ’ ଯୋଜନାରେ ସହାୟତା ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ନାଗରିକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି । ମ୍ୟାଲେରିଆ ହ୍ରାସରେ ଓଡ଼ିଶାର ସଫଳତାକୁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସଂଗଠନ ସ୍ୱୀକୃତି ଦେଇଛି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ‘ଜାଗା ମିଶନ’, ୨୪ଘଂଟିଆ ନଳକୂପରେ ପାଣି, ୫ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ସୁବିଧା ଆଦିକୁ ନେଇ ସରକାରଙ୍କ ସଫଳତା ସମ୍ପର୍କରେ ମଧ୍ୟ ନିଜର ମତ ରଖିଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version