Latest

ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର

Posted on

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟକୁ ଅଲବିଦା କହିଦେଇଛନ୍ତି। ଭାରତ ପକ୍ଷରୁ ୬ ଟେଷ୍ଟ, ୧୪ ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିଥିବା ବିନ୍ନି ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସାଙ୍ଗକୁ ମିଡିୟମ୍ ପେସର।
ପିତା ରୋଜର ବିନ୍ନିଙ୍କ ଭଳି ଷ୍ଟୁଆର୍ଟ ମଧ୍ୟ ଜଣେ ମିଡଲ୍ ଅର୍ଡରରେ ଦ୍ରୁତ ବ୍ୟାଟିଂ ପାଇଁ ବେଶ୍ ପରିଚିତ ଥିଲେ। ଏହାବ୍ୟତୀତ ମିଡିୟମ ପେସ୍ ଓ ସୁଇଂ ବୋଲିଂ କରିବାରେ ମାହିର୍ ଥିଲେ। ସିମ୍ ବୋଲିଂ ପାଇଁ ଉପକୂଳ ପରିସ୍ଥିତିରେ ସେ ବେଶ୍ ଉପଯୋଗ୍ୟ ସାବ୍ୟସ୍ତ ହେଉଥିଲେ। କିନ୍ତୁ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ବହୁତ ଛୋଟ ଥିଲା।
ସୋମବାର ଅବସର ନେବା ପରେ ବିନ୍ନି ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, ମୁଁ ଅନ୍ତର୍ଜାତୀୟ କ୍ରିକେଟ୍ ଓ ପ୍ରଥମଶ୍ରେଣୀ କ୍ରିକେଟକୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ମୋ ପାଇଁ ବଡ଼ ଗର୍ବର କଥା। ମୋ କ୍ରିକେଟ୍ କ୍ୟାରିୟରରେ ବିସିସିଆଇ ବହୁତ ବଡ଼ ଭୂମିକା ତୁଲାଇଛି। ଏଥିପାଇଁ ମୁଁ ବୋର୍ଡକୁ ଧନ୍ୟବାଦ ଜଣାଉଛି। ବର୍ଷ ବର୍ଷ ଧରି ବୋର୍ଡର ଭରସା ଓ ସମର୍ଥନ ଜବରଦସ୍ତ ରହିଛି। ଯଦି କର୍ଣ୍ଣାଟକ ରାଜ୍ୟ ଓ ଏହାର ସମର୍ଥନ ନଥାନ୍ତା, ତାହେଲେ ମୋର କ୍ରିକେଟ୍ କ୍ୟାରିୟର ଆରମ୍ଭ ହୋଇପାରିନଥାନ୍ତା। ରାଜ୍ୟର ନେତୃତ୍ୱ ନେବା ଏବଂ ଟ୍ରଫି ଜିତିବା ମୋ ପାଇଁ ଗର୍ବର କଥା।
ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବଶ୍ରେଷ୍ଠ ବୋଲିଂ ଫିଗରର ରେକର୍ଡ ବିନ୍ନିଙ୍କ ନାଁରେ ରହିଛି। ୨୦୧୪, ଜୁନ୍ ୧୭ ତାରିଖରେ ବାଂଲାଦେଶ ବିପକ୍ଷ ଦିନିକିଆରେ ବିନ୍ନି ମାତ୍ର ୪ ରନ୍ ଦେଇ ୬ ୱିକେଟ୍‌ ନେଇଥିଲେ। ୩୭ ବର୍ଷୀୟ ଏହି ଅଲରାଉଣ୍ଡର ଅନ୍ତର୍ଜାତୀୟ ସ୍ତରରେ ୪୦୦ରୁ ଅଧିକ ରନ୍ ସହ ୨୪ ୱିକେଟ୍ ନେଇଛନ୍ତି। ବିନ୍ନି ୨୦୧୬ରେ ଦେଶ ପାଇଁ ନିଜର ଶେଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିଲେ। ସେ ଭାରତ ପକ୍ଷରୁ ଟେଷ୍ଟରେ ୧୯୪ ରନ୍ ଓ ୩ ୱିକେଟ୍, ଦିନିକିଆରେ ୨୩୦ ରନ୍ ଓ ୨୦ ୱିକେଟ୍ ନେଇଛନ୍ତି। ସେହିପରି ଟି-୨୦ରେ ବିନ୍ନି ୩୫ ରନ୍ ଓ ଗୋଟିଏ ୱିକେଟ୍ ଅକ୍ତିଆର କରିଛନ୍ତି।
ପ୍ରଥମଶ୍ରେଣୀ କ୍ରିକେଟରେ ବିନ୍ନି ୪୭୯୬ ରନ୍ ଓ ୧୪୮ ୱିକେଟ୍ ନେଇଛନ୍ତି। ସେହିପରି ଲିଷ୍ଟ-ଏ’ରେ ତାଙ୍କ ନାଁରେ ୧୭୮୮ ରନ୍ ଓ ୯୯ ୱିକେଟ୍‌ ରହିଥିବା ବେଳେ ଟି-୨୦ରେ ୧୬୪୧ ରନ୍ ଓ ୭୩ ୱିକେଟ୍ ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version