Latest
୯ମାସ ପରେ ଭୂପୃଷ୍ଠକୁ ଫେରିବେ ଅନ୍ତରୀକ୍ଷ ଯାତ୍ରୀ ସୁନୀତା ୱିଲିୟମ୍ସ
ୱାଂଶିଟନ: ପ୍ରାୟ ଦୀର୍ଘ ୯ମାସ ପରେ ଭୂପୃଷ୍ଠକୁ ଫେରିବେ ଅନ୍ତରୀକ୍ଷ ଯାତ୍ରୀ ସୁନୀତା ୱିଲିୟମ୍ସ ଓ ବେରୀ ୱିଲମୋର । ୨୦୨୪ ଜୁନ୍ ୫ତାରିଖରେ ବୋଇଙ୍ଗ୍ ଷ୍ଟାରଲାଇନରରେ ମାତ୍ର ୮ଦିନ ପାଇଁ ଆନ୍ତର୍ଜାତିକ ଅନ୍ତରୀକ୍ଷ ଷ୍ଟେସନକୁ ଯାଇଥିବା ଏହି ଦୁଇ ମହାକାଶ ଯାତ୍ରୀ ଗତ ୯ମାସ ଧରି ସେଠାରେ ଅଟକି ରହିଛନ୍ତି । ଶୁକ୍ରବାର ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା(ନାସା) ଏହି ଦୁଇ ଅନ୍ତରୀକ୍ଷ ଯାତ୍ରୀଙ୍କ ଫେରିବା ନିମନ୍ତେ ରେସକ୍ୟୁ ଟିମ୍ ପଠାଇବାକୁ ମଞ୍ଜୁରୀ ଦେବା ସହ ମାର୍ଚ୍ଚ ୧୯ତାରିଖରେ ଉଭୟ ଯାତ୍ରୀ ମହାକାଶଯାନ ଡ୍ରାଗନ୍ ମାଧ୍ୟମରେ ଭୂପୃଷ୍ଠକୁ ଫେରିବେ ବୋଲି କହିଛି ।
ଉଲ୍ଲେଖଯୋଗ୍ୟ, ୨୦୨୪ ଜୁନ୍ ମାସରେ ସୁନୀଲ ଓ ବେରୀ ଉଭୟ ଅନ୍ତରୀକ୍ଷ ଷ୍ଟେସନରେ ପହଂଚିବା ପରେ ସେମାନଙ୍କ ଯାନର କ୍ୟାପସୁଲରେ ଯାନ୍ତ୍ରିକ ତ୍ରୁଟି ଅନୁଭୂତ ହୋଇଥିଲା । ଯେଉଁଥିପାଇଁ ସେମାନଙ୍କୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସେଠାରେ ଅଟକି ରହିବାକୁ ପଡ଼ିଛି । ଆଉ ସେମାନେ ଯାଇଥିବା ଷ୍ଟାରଲାଇନରକୁ ବିନା ଚାଳକ ଦଳରେ ଭୂପୃଷ୍ଠ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । କିଛି ସପ୍ତାହ ପରେ ଦୁଇଜଣ ଅନ୍ତରୀକ୍ଷ ଯାତ୍ରୀଙ୍କ ସହ ସ୍ପେସ୍ଏକ୍ସ-କ୍ରୁ-୯ ମିଶନରେ ପଠାଯାଇଥିଲା । ଯେଉଁଥିରେ ୨ଟି ସିଟ୍ ଏହି ଦୁଇଜଣ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଓ ସେମାନେ ଫେବୃୟାରୀରେ ଭୂପୃଷ୍ଠକୁ ଫେରିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଏବେ ଅନ୍ତରୀକ୍ଷରେ ଥିବା ୪ଜଣ ଯାତ୍ରୀ ଏକାଠି ଭୂପୃଷ୍ଠକୁ ମାର୍ଚ୍ଚ ୧୯ରେ ଫେରିବେ ବୋଲି ଜଣାପଡ଼ିଛି । ତେବେ ଏହି ୪ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କ ଫେରିବା ସ୍ପେସଏକ୍ସ କ୍ରୁ-୧୦ ମିଶନ ଉପରେ ନିର୍ଭର କରୁଛି । ଯାହାକୁ ମାର୍ଚ୍ଚ ୧୨ ଓ ୧୩ତାରିଖରେ ଲଂଚ କରାଯିବ । କ୍ରୁ-୧୦ ଅନ୍ତରୀକ୍ଷ ଷ୍ଟେସନରେ ପହଂଚିବା ପରେ ଓ ସେଠାରେ ନିଜର ସ୍ଥାନ ଗ୍ରହଣ କରିବା ପରେ କ୍ରୁ-୯ ଭୂପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବ ।