Latest

ଆସନ୍ତା ୯ ରେ ନବୀନଙ୍କୁ ଭେଟିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ !

Posted on

ଭୁବନେଶ୍ବର,(ଓଡ଼ିଶା ୱେୟାର): ଆସନ୍ତା ୯ ତାରିଖରେ ନବୀନ-ଜଗନ ଭେଟଘାଟ। ଭୁବନେଶ୍ୱର ଆସି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଉଭୟ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦୀୟ ପ୍ରସଙ୍ଗର ସମାଧାନ ଲାଗି ଜଗନ ଆଲୋଚନା କରିବେ ବୋଲି କୁହାଯାଉଛି। ପୋଲାଭରମ ଜଳପ୍ରକଳ୍ପ, ନେରେଡି ବ୍ୟାରେଜ୍‌ ଓ କୋରାପୁଟର କୋଟିଆ ପ୍ରସଙ୍ଗରେ ଆଲୋଚନା ହେବ।

ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ଆନ୍ଧ୍ର ସପକ୍ଷରେ ରାୟ ଦେବା ପରେ ନେରେଡି ବ୍ୟାରେଜ ନିର୍ମାଣ ନେଇ ବାଟ ଫିଟିଛି। ଏହାର ନିର୍ମାଣ ହେଲେ ରାୟଗଡ଼ା ଓ ଗଜପତି ଜିଲ୍ଲାର ୧୦୬ ଏକର ଜମି ଜଳମଗ୍ନ ହେବ। ଜିଲ୍ଲାର କିଛି ଅଞ୍ଚଳରେ ଜଳ ସଙ୍କଟ ମଧ୍ୟ ଦେଖା ଦେବା ଆଶଙ୍କା ରହିଛି। ଏ ପ୍ରସଙ୍ଗ ନେଇ ଜଗନ-ନବୀନ ଆଲୋଚନା ହୋଇପାରେ।

ଏହାସହ ପୋଲାଭରମ ପ୍ରକଳ୍ପ ବିବାଦ ଆଲୋଚନାରେ ସ୍ଥାନ ପାଇବ। ସେପଟେ କିଛି ଦିନ ହେବ କୋଟିଆକୁ ନେଇ ଓଡ଼ିଶା ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛି। ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶକୁ ବାରଣ କରିବା ପାଇଁ ଓଡ଼ିଶା ଅନେକ ପଦକ୍ଷେପ ନେଇଛି। ଯାହାକୁ ନେଇ ବିଜୟନଗରମ ଓ କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟରେ ଅନେକ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଏ ସବୁ ବିବାଦୀୟ ପ୍ରସଙ୍ଗର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣା ପଡିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version