ରାଜନୀତି

ବିଜେପି ଛାଡ଼ିଲେ ବିଜୟ ଓ ଦିଲ୍ଲୀପ

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ):ବିଜେପି ଜାତୀୟ କାର୍ଯ୍ୟକାରିଣୀର ଦୁଇଜଣ ସଦସ୍ୟ ତଥା ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଆଜି ବିଧିବଦ୍ଧ ଭାବେ ବିଜେପିରୁ ଇସ୍ତଫା ଦେଇଛନ୍ତି।ଆସନ୍ତା ୧୫ଦିନ ପରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଉଭୟ ଘୋଷଣା କରିବେ ବୋଲି ସଙ୍କେତ ଦେଇଛନ୍ତି।ଉଭୟ ନିଜର ସ୍ବାକ୍ଷର ଥିବା ଇସ୍ତଫାପତ୍ରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ପଠାଇ ଦେଇଛନ୍ତି।
ଶ୍ରୀ ରାୟ ମଧ୍ୟ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ରାଉରକେଲା ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।ଶ୍ରୀ ରାୟଙ୍କ ଇସ୍ତଫାକୁ ବାଚସ୍ପତି ତୁରନ୍ତ ଗ୍ରହଣ କରିବାର କିଛି ଘଣ୍ଟା ମଧ୍ୟରେ ରାଉରକେଲା ବିଧାନସଭା ଆସନ ଶୂନ୍ୟ ହୋଇଥିବା ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏପଟେ ଶ୍ରୀ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ବିଜେପି ସହିତ ସମ୍ପର୍କ ସବୁଦିନ ପାଇଁ ତୁଟାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଉଭୟ ନେତାଙ୍କ ପରବର୍ତୀ ନିଷ୍ପତ୍ତି କଣ ହେବ,ତାହା ଏଯାଏ ଅସ୍ପଷ୍ଟ ରହିଛି।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,ଅନ୍ୟ ସହ ମିଶି କାମ କରିବାର ଅଭ୍ୟାସ ଉଭୟ ନେତା (ବିଜୟ ଓ ଦିଲୀପ)ଙ୍କର ନାହିଁ। ବିଜୟ ଯେଉଁଠିକୁ ଯାଆନ୍ତି ଗୋଷ୍ଠୀ କରନ୍ତି।ତାହା ତାଙ୍କ ଡିଏନ୍‌ଏରେ ଅଛି। ବିଜେପିରେ ଗୋଷ୍ଠୀ କରିବାକୁ ସେ ବହୁତ ଚେଷ୍ଟା କରିଥିଲେ।କିନ୍ତୁ ସଫଳ ହେଲେନି।ବିଜୟଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ବିଜେପି ନିଜର ଭାବି ଗୁରୁ ଦାୟିତ୍ୱ ଦେଇଥିଲା।କିନ୍ତୁ ସେ ଦଳକୁ ନିଜର ଭାବି ପାରିଲେନି।ଘରର ପୁଅ ହୋଇ ଘର କଥା ବାହାରେ କହିଲେ।ଦିଲୀପଙ୍କୁ ସମାଲୋଚନା କରି ସେ କହିଛନ୍ତି, ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍ ପ୍ରସଙ୍ଗ ତାଙ୍କର ଏକ ବାହାନା।ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏହା ଏକ ନାଟକବାଜି। କୋଲ୍‌ ବ୍ଲକ୍ ଆବଣ୍ଟନ ନେଇ ସିବିଆଇ ତଦନ୍ତ ଯୋଗୁ ସେ ଅଡୁଆରେ ଥିଲେ।ଏ ମାମଲାରୁ ତାଙ୍କ ନାଁ ଉଠିଯିବ ବୋଲି ସରକାରଙ୍କଠାରୁ ସେ ଆଶା କରୁଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version