ରାଜନୀତି

ଦାମଙ୍କ ବହିଷ୍କାର : ଶ୍ରେୟ ପାଇଁ ବ୍ୟାକୁଳ ବିଷ୍ଣୁ !

Posted on

ଜଗତସିଂହପୁର : ବିଜେଡିରୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବହିଷ୍କାର ହେବା ପରେ ଏହାର ଶ୍ରେୟ ନେବା ପାଇଁ ଏବେ ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଭରପୂର ଉଦ୍ୟମ କରୁଥିବା ଜଣାପଡ଼ିଛି । ଦାମଙ୍କୁ ଦଳରୁ ବିଦା କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ଏବେ ଜିଲ୍ଲାରେ ନିଜ କର୍ମୀମାନଙ୍କ ମଧ୍ୟରେ ସନ୍ଦେଶ ଦେବା ପାଇଁ କସରତ କରୁଥିବା ଚର୍ଚ୍ଚା ।
ସୂଚନା ଅନୁସାରେ, ଡାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର କରାଯିବାର ରାଜନୀତିକ ଫାଇଦା ଉଠାଇ ଜିଲ୍ଲାରେ ନିଜସ୍ୱ ପତିଆରା ବଢ଼ାଇବା ପାଇଁ ଶ୍ରୀ ଦାସ ଏବେ ଉଦ୍ୟମ ଆରମ୍ଭ କରିଛନ୍ତି । ତାଙ୍କ ଯୋଗୁ କିଭଳି ଦାମଙ୍କୁ ବହିଷ୍କାର କରାଗଲା ତା’ର ପ୍ରାୟୋଜିତ କାହାଣୀକୁ ନିଜର ସମର୍ଥକମାନଙ୍କ ମଧ୍ୟରେ ଏବେ ଆଲୋଚନାର ମୁଖ୍ୟ ବିଷୟ କରାଯାଉଛି । ଜିଲ୍ଲାରେ ମୋଟ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ଥିବାବେଳେ ଗୋଟିଏ(ପାରାଦୀପ)ରେ ଡାକ୍ତର ରାଉତ ପ୍ରତିଧିନିତ୍ୱ କରୁଛନ୍ତି । ଡାକ୍ତର ରାଉତଙ୍କ ସହ ବିଷ୍ଣୁଙ୍କ ସମ୍ପର୍କ ଦୀର୍ଘଦିନ ଧରି ତିକ୍ତ ରହି ଆସିଛି । ଏପରିକି ବିଷ୍ଣୁ ଜିଲ୍ଲା ବିଜେଡି ସଭାପତି ହୋଇଥିଲେ ମଧ୍ୟ ଡାକ୍ତର ରାଉତ ସମାନ୍ତରାଳ ଭାବେ ତାଙ୍କୁ ଅଣଦେଖା କରି ସମସ୍ତ ସାଂଗଠନିକ କାର୍ଯ୍ୟ କରିବାରେ ସକ୍ଷମ ହୋଇଥାନ୍ତି । ଦୀର୍ଘ ଦେଢ଼ ଦଶନ୍ଧି ଧରି ଉଭୟ ପାରମ୍ପରିକ ଶତ୍ରୁ ଭାବେ ପରସ୍ପର ବିରୋଧୀ ଗତିବିଧି ଜାରି ରଖିଥିଲେ ମଧ୍ୟ ଡାକ୍ତର ରାଉତଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ କରି ଏପର୍ଯ୍ୟନ୍ତ ବିଷ୍ଣୁ ସକ୍ଷମ ହୋଇପାରିନଥିଲେ । ବରଂ ଡାକ୍ତର ରାଉତଙ୍କର ପଲ୍ଲା ସର୍ବଦା ରାଜ୍ୟ ରାଜନୀତିରେ ଭାରି ରହିଥିଲା ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଲିଖିତ ଅଭିଯୋଗ ଏବଂ ତାଙ୍କର ହଜାର ହଜାର ସମର୍ଥକ ନବୀନ ନିବାସ ଆସି ବିଜେଡି ସୁପ୍ରିମୋଙ୍କ ନିକଟରେ ଅଭିଯୋଗ କରିବା ତଥା ଡାକ୍ତର ରାଉତଙ୍କ ବିଗତ ଦିନର ସରକାରକୁ ଅଡ଼ୁଆରେ ପକାଇବା ଭଳି ବୟାନକୁ ଦୃଷ୍ଟିରେ ରଖି ଏଭଳି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ କିଛଦିନ ଧରି ପାରାଦୀପ ବିଧାୟକ ଡାକ୍ତର ରାଉତ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବାବେଳେ ବିରୋଧୀ ଦଳ ମଧ୍ୟ ସରକାର ଓ ବିଜେଡିକୁ ସମାଲୋଚନାର ସୁଯୋଗ ପାଇଥିଲା । ଡାକ୍ତର ରାଉତଙ୍କ ଏଭଳି ଆଭିମୁଖ୍ୟରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ମାତ୍ର ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନ୍ୟ ବଳିଷ୍ଠ ପ୍ରମାଣକୁ ଅପେକ୍ଷା କରାଯାଇଥିଲା । ଆଉ ସେହି ସମୟରେ ହିଁ ବିଜେପି ଓ କଂଗ୍ରେସ ନେତାଙ୍କ ସହଯୋଗରେ ଡାକ୍ତର ରାଉତ ଏରସମାରେ ବିପ୍ଲବ ଦିବସ ସମାରୋହ ପାଳନ କରିବା ନେଇ ଶ୍ରୀ ମୁଦୁଲି ଅଭିଯୋଗ କରିଥିଲେ । ‘କାଉ ରାବିବା ଓ ତାଳ ପଡ଼ିବା’ ନ୍ୟାୟରେ ଡାକ୍ତର ରାଉତଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ତେଣୁ ଡାକ୍ତର ରାଉତଙ୍କ ବହିଷ୍କାରରେ ବିଷ୍ଣୁଙ୍କ ଭୂମିକା ରହିଛି ବୋଲି ଯାହା ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଅମୂଳକ । ବିଗତ ଦିନରେ ମହିଳା ବ୍ଲକ୍ ସଭାନେତ୍ରୀ ନିଯୁକ୍ତିକୁ ନେଇ ରାଜଶ୍ରୀ ମଲ୍ଲିକ ଓ ବିଷ୍ଣୁ ଦାସଙ୍କ ମଧ୍ୟରେ ବିବାଦ ଏବଂ ନିଜ ଲ୍ୟାଡ୍ ବଂଟନକୁ ନେଇ ପ୍ରଶାନ୍ତ ମୁଦୁଲିଙ୍କ ସହ ତାଙ୍କର ବିବାଦରୁ ସଂଗଠନରେ ନିଜର ସ୍ଥିତି କ’ଣ ତାହା ଅଭିଜ୍ଞ ବିଷ୍ଣୁ ଭଲଭାବେ ଆକଳନ କରିସାରିଥିବେ । ଜିଲ୍ଲା ସଭାପତି ହୋଇଥିଲେ ମଧ୍ୟ ଜିଲ୍ଲାର କୌଣସି ଜଣେ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ନାହିଁ । ତେଣୁ ବିଷ୍ଣୁ ଜିଲ୍ଲାରେ ନିଜର ସ୍ଥିତି ବଂଚାଇବା ପାଇଁ ଦାମଙ୍କ ବହିଷ୍କାରର ଶ୍ରେୟକୁ ନେବାକୁ ଉଦ୍ୟମ କରୁଛନ୍ତି ବୋଲି ଚର୍ଚ୍ଚା ।

Leave a Reply

Your email address will not be published. Required fields are marked *

Most Popular

Exit mobile version