ରାଜନୀତି

ବିଶ୍ୱଭୂଷଣଙ୍କ ଆଳରେ ବିଜେପିକୁ ଟାର୍ଗେଟ୍ କଲା ବିଜେଡି

Posted on

ଭୁବନେଶ୍ୱର : ଏକ ଘରୋଇ ଟିଭି ଚ୍ୟାନେଲକୁ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଦେଇଥିବା ବୟାନ ଏବେ ରାଜ୍ୟ ବିଜେପିକୁ ଅଡ଼ୁଆରେ ପକାଇଛି । ରାଜ୍ୟରେ ୯ବର୍ଷ ଧରି ମେଂଟ ସରକାରରେ ବିଜେପି ସାମିଲ ଥିବାବେଳେ ଶାସନ କଳରେ ଯାହା ତ୍ରୁଟି ରହିଛି ସେଥିପାଇଁ ବିଜେପି ମଧ୍ୟ ଦାୟୀ ବୋଲି ଶ୍ରୀ ହରିଚନ୍ଦନ ଦେଇଥିବା ମନ୍ତବ୍ୟକୁ ବିଜେଡି ସମ୍ପୂର୍ଣ୍ଣ ଠିକ୍ ବୋଲି କହିଛି । ବିଶ୍ୱଭୂଷଣଙ୍କ ମନ୍ତବ୍ୟକୁ ଆଧାର କରି ବିଜେଡି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବିଜେପି ନେତାମାନଙ୍କୁ ଟାର୍ଗେଟ୍ କରିଛି ।
ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ଏକ ପ୍ରେସ୍ ରିଲିଜ୍ରେ କହିଛନ୍ତି ଯେ, ବିଶ୍ୱଭୂଷଣ ବାବୁ ଜଣେ ବରିଷ୍ଠ ନେତା ଓ ସେ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ । କିନ୍ତୁ ଗତ ୪ବର୍ଷ ଧରି ବିଜେପିର ମୁଖପାତ୍ରମାନେ ଭିନ୍ନ ଭିନ୍ନ କଥା କହିବାରେ ବ୍ୟସ୍ତ । ଧର୍ମେନ୍ଦ୍ରବାବୁ ସବୁବେଳେ କହୁଛନ୍ତି ୧୮ବର୍ଷ ଧରି ବିଜେଡି ଶାସନରେ ରହି ଏସବୁ ଭୁଲ କରିଛି । କିନ୍ତୁ ସେ ଭୁଲିଯାଉଛନ୍ତି ଯେ ୧୮ବର୍ଷ ମଧ୍ୟରୁ ୯ବର୍ଷ ବିଜେପି ତାଙ୍କ ସହ ଶାସନରେ ରହିଥିଲା । ତେଣୁ ବିଶ୍ୱଭୂଷଣ ବାବୁ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ ଓ ଗ୍ରହଣୀୟ ବୋଲି ଶ୍ରୀ ଦେବ କହିଛନ୍ତି । ସେହିପରି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଅନ୍ୟ ବିଜେପି ନେତାମାନେ ଗତ ୧୮ବର୍ଷର ଶାସନରେ ଭଲମନ୍ଦ ପାଇଁ ବିଜେଡିକୁ ଦାୟୀ କରି ଆସୁଥିଲେ । ଶ୍ରୀ ହରିଚନ୍ଦନ ଯାହା କହିଛନ୍ତି ତାହା ବିଜେପିର କୁହାଳିଆ ମୁଖପାତ୍ରମାନଙ୍କୁ ଶକ୍ତ ଚାପୁଡ଼ା ସଦୃଶ ହୋଇଛି । ସର୍ବଦା ଅନ୍ୟକୁ ଦୋଷ ଦେଉଥିବା ବିଜେପି ନେତାମାନେ ଏବେ ବରିଷ୍ଠ ନେତା ଶ୍ରୀ ହରିଚନ୍ଦନଙ୍କଠୁ କିଛି ଶିକ୍ଷା କରନ୍ତୁ । ନିଜର ଦୋଷ ତ୍ରୁଟିକୁ ଲୁଚାଇ ଅନ୍ୟକୁ ଦୋଷ ଦେଇ ଆଉ କେତେଦିନ ଲୋକଙ୍କୁ ଭୂଆଁ ବୁଲାଇବ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିବା ସହ ‘ଗୋଦରୀ ଲୋ ନିଜ ଗୋଡ଼କୁ ଅନା’ ନ୍ୟାୟରେ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟର ମୁଖପାତ୍ରମାନେ ଏବେଠୁ ସାବଧାନ ହୋଇଯାଆନ୍ତୁ ବୋଲି ସେ ସାବଧାନ କରାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version