ରାଜନୀତି

ଧର୍ମେନ୍ଦ୍ର- ବିଜେଡି ପୁଣିଥରେ ମୁହାଁମୁହିଁ

Posted on

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୪ବର୍ଷର ରିପୋର୍ଟ କାର୍ଡକୁ ନେଇ ବିଜେଡି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁଣିଥରେ ମୁହାଁମୁହିଁ ହୋଇଛନ୍ତି । ଧର୍ମେନ୍ଦ୍ର ସିଧାସଳଖ ତୃତୀୟ ମହଲାକୁ ଆକ୍ଷେପ କରିବା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶାସନ ଓ ବିଜେଡି ଦଳ ପରିଚାଳିତ ହେଉଛି । ନବୀନ ପଟ୍ଟନାୟକଙ୍କ ସମକକ୍ଷ ନେତା ଓଡ଼ିଶାରେ ନାହାନ୍ତି । ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସାମ୍ନା କରିନପାରି କିଛି ନେତା କ୍ଷମତା ଲୋଭରେ ଅନ୍ୟମାନଙ୍କୁ ଟାର୍ଗେଟ୍‍ କରୁଛନ୍ତି, ଯାହା ସ୍ପୃହଣୀୟ ନୁହେଁ । ଧର୍ମେନ୍ଦ୍ରଙ୍କୁ ତୃତୀୟ ମହଲା ସ୍ୱପ୍ନ ଆକ୍ରାନ୍ତ କରିଛି । ସେ ତୃତୀୟ ମହଲାକୁ ନେଇ ଅନେକ ସମୟରେ ବିଳି ବିଳି ହେଉଛନ୍ତି । ଏଭଳି ରାଜନୀତି କରି ବିଜେପି ଯେଉଁ ସ୍ୱପ୍ନ ଦେଖୁଛି, ତାହା କଦାପି ସଫଳ ହେବନାହିଁ । ବିଜେପିର ଏଭଳି ହୀନ ରାଜନୀତିକୁ ଲୋକେ ଘୃଣା କରୁଛନ୍ତି ଏବଂ ଯେତେବେଳେ ସୁଯୋଗ ଆସୁଛି, ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରୁଛନ୍ତି । ବିଜେପି ଏଥିରୁ ବୋଧେ କିଛି ଶିଖିପାରୁ ନାହିଁ । ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି ଧର୍ମେନ୍ଦ୍ର ଯେଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ସେଥିରେ ସେ କେବଳ ଲୋକ ହସା ହିଁ ହେଉଛନ୍ତି । ଗତକାଲି ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନଙ୍କୁ କେତୋଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚରା ଯାଇଥିଲା । ଶ୍ରୀ ପ୍ରଧାନ ସିଧାସଳଖ ତା’ର ଉତ୍ତର ନଦେଇ ଯେଭଳି ଅବାନ୍ତର କଥା କହିଛନ୍ତି, ସେଥିରୁ ତାଙ୍କର ପାରିବା ପଣିଆ ଜଣାପଡୁଛି । ଯଦି ଧର୍ମେନ୍ଦ୍ରଙ୍କ ସତ୍‍ସାହସ ଅଛି ପ୍ରଶ୍ନର ଉତ୍ତର ଦିଅନ୍ତୁ । ଏଭଳି ଅଯୌକ୍ତିକ, ଅବାନ୍ତର ଓ ପିଲାଳିଆମୀ କଥା କହି କେନ୍ଦ୍ରମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଭକୁଆ ଭାବନ୍ତୁ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।
ସୂଚନାଯୋଗ୍ୟ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ତୃତୀୟ ମହଲା କାହାର ବ୍ୟକ୍ତିଗତ ସମ୍ପତି ନୁହେଁ । ଏହା ସାଢେ ଚାରି କୋଟି ଓଡିଆଙ୍କ ଆଶା ଭରସାର କେନ୍ଦ୍ର । ଏହାକୁ କଳାପାହାଡଙ୍କର ଅକ୍ତିଆରରୁ ମୁକ୍ତି ପାଇଁ ସାରା ରାଜ୍ୟରେ ଜନ ଆନ୍ଦୋଳନ ହେଲାଣି । ବିଜେଡି ଓଡିଶାକୁ ମୋଦି ସରକାରଙ୍କ ଅବଦାନର ହିସାବକୁ ଭୁଲ ବୋଲି କହିବା ଓ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନ ଗୁଡିକର ଆହ୍ୱାନକୁ ସେ ସ୍ୱୀକାର କରୁଛନ୍ତି ଓ ଏହାର ଗୋଟି ଗୋଟି ଉତର ଦେବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ, ପ୍ରତାପ ଦେବ, ପ୍ରତାପ ଜେନା, ସଂଜୟ ଦାସବର୍ମା, ଅରୁଣ ସାହୁ ପ୍ରଭୃତି ପ୍ରଶ୍ନକର୍ତାଙ୍କୁ ସେ ନିମନ୍ତ୍ରଣ କରୁଛନ୍ତି । ସେମାନେ ସମସ୍ତେ ତାଙ୍କର ଭଲ ବନ୍ଧୁ । ସେମାନେ ତାଙ୍କ ସହ ଚା ପିଇବାକୁ ଆସନ୍ତୁ ଓ ସେ ସମସ୍ତ ପ୍ରଶ୍ନକୁ ବୁଝାଇ ଦେବେ ବୋଲି କହିଛନ୍ତି । ସେ କଟାକ୍ଷ କରି କହିଛନ୍ତି ଯେ ବିଜେଡିର ଏହି ନେତା ମାନଙ୍କ ମନର କଷ୍ଟକୁ ସେ ଭଲ ଭାବରେ ବୁଝି ପାରନ୍ତି ବୋଲି ସେ କହିଛନ୍ତି । ସେମାନେ ତୃତୀୟ ମହଲାର ଘୋଷିଥିବା ଶବ୍ଦର ପାରା । କା ରେ ଶାସନ ଚଳାଉଥିବା କଳାପାହାଡଙ୍କର କୁହା ଯାଇଥିବା ଶବ୍ଦକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସେମାନଙ୍କର ବାଧ୍ୟବାଧକତା । ମୋଦି ସରକାର ଆସିବା ପରେ ୫୪୪୯ କିମି ଜାତୀୟ ରାଜପଥ ଓଡିଶାକୁ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏଥିରୁ ଶେଷ ଅଢେଇ ହଜାର କିମିର ରାଜପଥ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ଦ‘ତରରୁ ଆସି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେତେ ଦିନ ହେଲା ପଡି ରହିଛି ତାହାର ଉତର ମୁଖ୍ୟମନ୍ତ୍ରୀ ତତକ୍ଷଣାତ ପ୍ରଦାନ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version