ରାଜନୀତି
ମହାନଦୀ ପାଇଁ ବିଜେଡିର ୪ଜଣିଆ ଷ୍ଟିଅରିଂ କମିଟି
ଭୁବନେଶ୍ୱର : ମହାନଦୀ ଓ ପୋଲାଭରମ୍ ଲଢ଼େଇକୁ ତୀବ୍ର କରିବା ନିମନ୍ତେ ବିଜେଡି ପକ୍ଷରୁ ୪ଜଣିଆ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ମହାନଦୀ ମହାସଂଗ୍ରାମର ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ ପାଇଁ ଏହି କମିଟି ରୂପରେଖ ପ୍ରସ୍ତୁତ କରିବ । ଦଳ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ମହାନଦୀ ଓ ପୋଲାଭରମ୍ ପାଇଁ ବିଜେଡି ସଭାପତି ଏକ ଷ୍ଟିଅରିଂ କମିଟି ଗଠନ କରିଛନ୍ତି । କମିଟିରେ ଦଳର ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ଦେବୀପ୍ରସାଦ ମିଶ୍ର, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ ରହିବେ ।
ସେହିପରି ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦାୟିତ୍ୱମୁକ୍ତ କରାଯାଇଛି । ତାଙ୍କ ସ୍ଥାନରେ ମନ୍ତ୍ରୀ ନୃସିଂହ ସାହୁଙ୍କୁ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି । ଆଜି ଏନେଇ ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି ହୋଇଛି । ପ୍ରସନ୍ନ ଏବେ ମହାନଦୀ ଆନ୍ଦୋଳନର ନେତୃତ୍ୱ ନେଉଥିବାରୁ ତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି । ସେହିପରି ଦଳରେ ମିଶି ରାଜ୍ୟସଭା ସାଂସଦ ହୋଇଥିବା ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାର ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।