ରାଜନୀତି
ଦାମଙ୍କ ମୁକାବିଲା କରିବେ ପ୍ରଶାନ୍ତ-ପ୍ରତାପ ଯୋଡ଼ି
ଜଗତସିଂହପୁର : ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଜିଲ୍ଲା ବିଜେଡି ସଂଗଠନରେ ଫାଟ ସୃଷ୍ଟି ପାଇଁ ଉଦ୍ୟମ କରିବାର ଆଶଙ୍କା ମଧ୍ୟରେ ଦଳ ପକ୍ଷରୁ ରଣନୀତି ଚୂଡ଼ାନ୍ତ ହୋଇଛି। ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲଙ୍କ ଦୁର୍ବଳ ସାଂଗଠନିକ ରଣନୀତିକୁ ଦୃଷ୍ଟିରେ ରଖି ଆଜି ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଆଉ ଏକ ଗୁରୁଦାୟିତ୍ୱ ମିଳିଛି।
ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ପ୍ରଶାନ୍ତ ମୁଦୁଲିଙ୍କୁ ନିଯୁକ୍ତି ଦେଇଛନ୍ତି।ତାଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ଜଗତସିଂହପୁର ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି।ପ୍ରତାପ ପୂର୍ବଭଳି ଅନୁଗୁଳ ଜିଲ୍ଲା ସଭାପତି ଅଛନ୍ତି।
ସୂଚନା ଅନୁସାରେ ଆଗକୁ ସାଧାରଣ ନିର୍ବାଚନ ରହିଥିବାବେଳେ ବିଷ୍ଣୁ ଓ ପ୍ରଫୁଲ୍ଲ ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାରେ ସକ୍ଷମ ହୋଇନାହାନ୍ତି।ଏପରିକି ବିଷ୍ଣୁଙ୍କ ଯୋଗୁ ଏବେ ଜିଲ୍ଲାରେ ଦଳ ବିଭିନ୍ନ ଭାଗରେ ବିଭକ୍ତ ହୋଇ ରହିଛି।ବିଷ୍ଣୁଙ୍କର ବ୍ୟକ୍ତିଗତ ଭାବେ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହ ଭଲ ସମ୍ପର୍କ ନାହିଁ । ଦାମଙ୍କ ସହ ତାଙ୍କର ଦୀର୍ଘଦିନର ଶତ୍ରୁତା ରହିଛି।ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବା ପାଇଁ ଏବେ ବିଷ୍ଣୁଙ୍କ ବଦଳରେ ପ୍ରଶାନ୍ତଙ୍କ ଉପରେ ବିଜେଡି ସୁପ୍ରିମୋ ଆସ୍ଥା ପ୍ରକଟ କରିଛନ୍ତି । ପ୍ରଶାନ୍ତଙ୍କୁ ନିଜ ଅନୁସାରେ କାର୍ଯ୍ୟ କରିବାର ସୁଯୋଗ ଦେବା ନିମନ୍ତେ ତାଙ୍କର ଘନିଷ୍ଠ ସମ୍ପର୍କ ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ଜିଲ୍ଲାରେ ସହପର୍ଯ୍ୟବେକ୍ଷକ ଭାବେ ଅବସ୍ଥାପିତ କରାଯାଇଛି।ତେଣୁ ପ୍ରଶାନ୍ତ ଓ ପ୍ରତାପ ଯୋଡ଼ି ଆଗାମୀ ଦିନରେ ଜିଲ୍ଲାରେ ଦାମଙ୍କୁ ପ୍ରତିହତ ନିମନ୍ତେ କିଭଳି ରଣନୀତି ପ୍ରସ୍ତୁତ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।
ସୂଚନାଯୋଗ୍ୟ, ପ୍ରଶାନ୍ତ ଓ ତାଙ୍କର ହଜାର ହଜାର ସମର୍ଥକଙ୍କ ଅଭିଯୋଗ ଆଧାରରେ ଦଳବିରୋଧୀ କାର୍ଯ୍ୟ ପାଇଁ ଡାକ୍ତର ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଗଲା ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।