ରାଜନୀତି

ନଭେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ବିଜେଡି ପଦଯାତ୍ରା

Posted on

ଭୁବନେଶ୍ୱର: ଅକ୍ଟୋବର ୨-ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ତିତଲି ବାତ୍ୟା ଓ ପର୍ବପର୍ବାଣୀ ଯୋଗୁ ସବୁ ସ୍ଥାନରେ ପଦଯାତ୍ରା ହୋଇପାରିନଥିବାରୁ ଜନସମ୍ପର୍କ ପଦଯାତ୍ରାକୁ ପ୍ରତ୍ୟେକ ଘରେ ପହଂଚାଇବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପଦାଧିକାରୀମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।
ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି ଯେ, ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ନଭେମ୍ବର ୨ତାରିଖରେ ଶେଷ ହେବାର ଥିଲା।କିନ୍ତୁ ପର୍ବପର୍ବାଣୀ ଓ ତିତଲି ବାତ୍ୟା ଯୋଗୁ ପଦଯାତ୍ରା ମାଧ୍ୟମରେ ପ୍ରତ୍ୟେକ ପରିବାର ପାଖରେ ପହଂଚିବାର ଲକ୍ଷ୍ୟକୁ ଦଳ ହାସଲ କରିପାରିନାହିଁ।ପଦଯାତ୍ରା ବେଳେ ପ୍ରତ୍ୟେକ ୱାର୍ଡର ପ୍ରତ୍ୟେକ ପରିବାରକୁ ଯେଭଳି ସାମିଲ କରାଯାଇପାରିବ ସେଥିପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦେବା ପାଇଁ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଏହି ମର୍ମରେ ସଭାପତି ଚିଠିଲେଖି ଅନୁରୋଧ କରିଛନ୍ତି । ଏହି ପଦଯାତ୍ରାରେ ବିଜେଡି ସରକାରର ଲୋକାଭିମୁଖି କାର୍ଯ୍ୟକ୍ରମ ବିଶେଷକରି ‘ଆମ ଗାଁ ଆମ ବିକାଶ’, ‘ଆମ ସହର ଆମ ଉନ୍ନତି’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରୁ ବାଦ୍‍ ପଡିଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ଖାଉଟି କାର୍ଡ ଯୋଗାଇବା ପାଇଁ ରାଜ୍ୟର ‘ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା’ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହିତ ଦଳ ତରଫରୁ ଗଢ଼ାଯାଇଥିବା ୱାର୍ଡ କମିଟିର ସଦସ୍ୟ ଏବଂ ସାଧାରଣ ଲୋକଙ୍କୁ ସାମିଲ କରି ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ଚିଠିରେ ଅନୁରୋଧ କରାଯାଇଛି।
ଏହାସହିତ ଓଡ଼ିଶା ପ୍ରତି ଲଗାତାର କେନ୍ଦ୍ରୀୟ ଅବହେଳା, ମହାନଦୀ ଓ ପୋଲାଭରମ୍‍ ପ୍ରସଂଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରିବା, ଡିଜେଲ୍‍, ପେଟ୍ରୋଲ ଓ ରନ୍ଧନ ଗ୍ୟାସ୍‍ର ଅହେତୁକ ଦରବୃଦ୍ଧି କରି ସାଧାରଣ ଖାଉଟି ଓ ଗୃହିଣୀଙ୍କ ଉପରେ ଆର୍ôଥକ ବୋଝ ଲଦିବା, ରାଜ୍ୟର ବିଭିନ୍ନ ଜନହିତକର ଯୋଜନାରେ ଅର୍ଥକାଟ୍‍ ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାକୁ ଶ୍ରୀ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version