ରାଜନୀତି

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଲଢ଼େଇ ଜାରି ରହିବ : ନବୀନ

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ): ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଓଡ଼ିଶାର ହକ୍ । ଏଥିପାଇଁ ବିଜେଡି ଲଢ଼େଇ ଜାରି ରଖିବ ବୋଲି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ପଷ୍ଟ କରିଛନ୍ତି । ଏହା ସହିତ ବିଜେଡି ଆଗାମୀ ଦିନରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଆଭାସ ଦେଇଛନ୍ତି।
ଆଜି ଭୁବନେଶ୍ୱରର ୪୩ ନମ୍ବର ୱାର୍ଡର ଲକ୍ଷ୍ମୀସାଗର ମେଳନ ପଡ଼ିଆରେ ଅନୁଷ୍ଠିତ ଦଳର ଜନସଂପର୍କ ପଦଯାତ୍ରାରେ ସାମିଲ ହୋଇ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେଡି-ବିଜେପି ଏକାଠି ସରକାର କରିଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ପାଇଁ ଆମେ ଏକାଠି ଲଢ଼ୁଥିଲୁ । ୨୦୦୯ ପରେ ବିଜୁ ଜନତା ଦଳ ଓ ବିଜେପି ଏଥିପାଇଁ ତାଙ୍କର ଲଢ଼େଇ ଜାରି ରଖିଛନ୍ତି।୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ନିର୍ବାଚନୀ ଇସ୍ତାହାରରେ ପ୍ରଥମ ଏଜେଣ୍ଡା ଥିଲା ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ କରିବା।ଏହା ଦେଖି ମୁଁ ସବୁଠାରୁ ବେଶୀ ଖୁସି ହୋଇଥିଲି ।ଆଶା ଥିଲା ଓଡ଼ିଶାବାସୀ ନ୍ୟାୟ ପାଇବେ।
ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦ୍ୱାରା ଓଡ଼ିଶାର ଯୁବକମାନେ ସବୁଠାରୁ ଅଧିକ ସୁଯୋଗ ପାଇବେ।ଓଡ଼ିଶାକୁ ଟ୍ୟାକ୍ସ ରିବେଟ୍‍ ମିଳିବ।ଅନେକ ଶିଳ୍ପ ଆସିବ, ନିଯୁକ୍ତିର ସୁଯୋଗ ମଧ୍ୟ ବଢ଼ିବ।ନମ୍ବର ୨ରେ ଲାଭ ହେବ, ବର୍ତ୍ତମାନ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ଭାଗ ପଚାଶ-ପଚାଶ ରହୁଛି।କିନ୍ତୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଲେ, ଏହି ଭାଗ ନବେ ଓ ଦଶ ପ୍ରତିଶତ ରହିବ। ଏହାଦ୍ୱାରା ବଳକା ଅର୍ଥକୁ ଆମେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶ କାମରେ ଖର୍ଚ୍ଚ କରିପାରିବା।କିନ୍ତୁ ଦୁଃଖର କଥା, ଚୌକି ପାଇଁ ବିଜେପି ତା’ର ପ୍ରତିଶ୍ରୁତିକୁ ଭୁଲି ଗଲା । ଓଡ଼ିଶାବାସୀଙ୍କ ଆଶା ଆଶାରେ ହିଁ ରହିଗଲା।ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍‍ନା କରୁଛି।ବହୁ ଧନ ସଂପତ୍ତି ନଷ୍ଟ ହେଉଛି । ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଁ ଏହା କ’ଣ ଏକ ଯୁକ୍ତିଯୁକ୍ତ କାରଣ ନୁହେଁ? ୨୦୧୪ର ଏହି ପ୍ରତିଶ୍ରୁତି ବିଷୟ ଲୋକମାନେ ବିଜେପିକୁ ୨୦୧୯ ନିର୍ବାଚନରେ ମନେ ପକାଇଦେବେ।ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଆମର ହକ୍‍।ଏଥିପାଇଁ ଆମର ଲଢ଼େଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଜନସାଧାରଣଙ୍କୁ ସାମାଜିକ ଓ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ।ଆମେ କଥା ନୁହେଁ, କାମରେ ବିଶ୍ୱାସ କରୁ । ନମ୍ବର ୧- ଖାଦ୍ୟ ସୁରକ୍ଷା, ନମ୍ବର ୨- ଘର, ନମ୍ବର ୩-ସ୍ୱାସ୍ଥ୍ୟ ଓ ନମ୍ବର ୪- ସାମାଜିକ ନିରାପତ୍ତା।ଭାରତ ସରକାରଙ୍କ ନିୟମରେ ବହୁ ଗରିବ ଲୋକ, ଯୋଗ୍ୟ ହିତାଧିକାରୀ ଏସବୁ ସୁବିଧାରୁ ବଂଚିତ ହେଲେ, ଏହା ମୋତେ ବହୁତ ବାଧିଲା।ଆପଣଙ୍କ ଟଙ୍କାରେ, ଓଡ଼ିଶବାସୀଙ୍କ ଟଙ୍କାରେ ଆମେ ଆରମ୍ଭ କଲୁ- ବିଜୁ ପକ୍କା ଘର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ମଧୁବାବୁ ପେନ୍‍ସନ୍‍ ଓ ଆହୁରି ଅନେକ ସାମାଜିକ ନିରାପତ୍ତା ଯୋଜନା । ଏହି କାର୍ଯ୍ୟକ୍ରମର ସୁବିଧା ଯେପରି ସବୁ ହିତାଧିକାରୀଙ୍କ ପାଖରେ ପହଂଚିପାରିବ, ସେଥିପାଇଁ ଆମେ କାମ କରୁଛୁ ।

ଭୁବନେଶ୍ୱର-ମଧ୍ୟ ବିଧାୟକ ବିଜୟ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସଂପର୍କ ପଦଯାତ୍ରାରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଦେବାଶିଷ ନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version