ରାଜନୀତି

ଆଗୁଆ ନିର୍ବାଚନ ସପକ୍ଷରେ ବିଜେଡି, ନିର୍ବାଚନ କମିଶନଙ୍କୁ ଚିଠି

Posted on

ଭୁବନେଶ୍ୱର : ନିର୍ଦ୍ଧାରିତ ଅବଧି ପୂର୍ବରୁ ଲୋକସଭା ନିର୍ବାଚନର ଆଶଙ୍କା କରି ବିଜେଡି ଏକସଙ୍ଗେ ଓଡ଼ିଶାରେ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତି କରିବା ପାଇଁ ଆଜି ବିଧିବଦ୍ଧ ଭାବେ ଜାତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଛି ।
ଦଳ ପକ୍ଷରୁ ସାଂସଦ ପିନାକୀ ମିଶ୍ର ରାଜ୍ୟରେ ଏକସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ସପକ୍ଷରେ ଯୁକ୍ତି ବାଢ଼ି ଚିଠିରେ ଦର୍ଶାଇଛନ୍ତି ଯେ, ଯଦି କେନ୍ଦ୍ର ସରକାର ୨୦୧୯ ମସିହାରେ ନିର୍ଦ୍ଧାରିତ ଅବଧି ପୂର୍ବରୁ ଲୋକସଭା ନିର୍ବାଚନ କରିବା ପାଇଁ ନିଷ୍ପତି ନିଅନ୍ତି ତା’ହେଲେ ଓଡ଼ିଶାରେ ଏକସଙ୍ଗେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି କରାଯିବା ଉଚିତ୍ । କାରଣ ଏକସଙ୍ଗେ ନିର୍ବାଚନ ହେଲେ ପ୍ରାୟ ଏକ ହଜାର କୋଟି ଟଙ୍କା ସଂଚୟ ହୋଇପାରିବ ।
ଶ୍ରୀ ମିଶ୍ର ଲୋକସଭା ନିର୍ବାଚନ ସହ ଓଡ଼ିଶାର ବିଧାନସଭା ନିର୍ବାଚନ ଏକାଠି କରାଇବା ସପକ୍ଷରେ ଯୁକ୍ତି ବାଢ଼ି କହିଛନ୍ତି ଯେ ନିର୍ବାଚନୀ ଖର୍ଚ୍ଚକୁ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଲେଖାଏ ଭରଣା କରିଥାନ୍ତି । ଯଦି କେନ୍ଦ୍ର ସରକାର ଆଗୁଆ ଲୋକସଭା ନିର୍ବାଚନ କରିବେ ଓ ବିଧାନସଭା ନିର୍ବାଚନ ଧାର୍ଯ୍ୟ ସମୟରେ ହେବ ତା’ହେଲେ ଓଡ଼ିଶାକୁ ଉଭୟ ନିର୍ବାଚନ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ଯାହାକି ଓଡ଼ିଶା ଭଳି ବିକାଶମୁଖୀ ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରିବ । ଓଡ଼ିଶା ପାଇଁ ଏକସଙ୍ଗେ ନିର୍ବାଚନ ନୂଆକଥା ନୁହେଁ । ବିଧାନସଭା ଓ ଲୋକସଭା ନିର୍ବାଚନ ଅଲଗା କରିବାକୁ ନେଇ ଓଡ଼ିଶାରେ ଚାଲି ଆସୁଥିବା ପରମ୍ପରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୪ ମସିହାରେ ଭାଙ୍ଗି ଦେଇଥିଲେ । ଲୋକସଭା ନିର୍ବାଚନ ଆଗୁଆ ହେବାରୁ ଓଡ଼ିଶା ବିଧାନସଭାକୁ ମଧ୍ୟ ସେହି ସମୟରେ ଭାଙ୍ଗି ଦେଇ ଏକାଠି ନିର୍ବାଚନ କରିଥିଲେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version