ରାଜନୀତି

ସବୁ ବୁଥରେ ବିଜେପିର ଜନପରାମର୍ଶ ପଦଯାତ୍ରା,ଏକାମ୍ରରୁ ହେଲା ଆରମ୍ଭ

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ): ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ପଦଯାତ୍ରାକୁ କାଉଂଟର କରିବା ପାଇଁ ବିଜେପି ଆଜିଠୁ ଜନପରାମର୍ଶ ପଦଯାତ୍ରା ଆରମ୍ଭ କରିଛି । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ପଦଯାତ୍ରାକୁ ଏକାମ୍ର ନିର୍ବାଚନମଣ୍ଡଳୀରୁ ଆରମ୍ଭ କରିଛନ୍ତି । ରାଜ୍ୟରେ ସୁଶାସନ ପାଇଁ କ’ଣ ଜରୁରୀ ସେ ନେଇ ଘରଘର ବୁଲି ସାଧାରଣ ଲୋକଙ୍କ ପରାମର୍ଶ ଲୋଡ଼ିବ ।
ପୁରୁଣା ଭୁବନେଶ୍ୱର ମଣ୍ଡଳ ଅଧୀନରେ ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ରାଜ୍ୟ ବିଜେପି ସଭାପତି ଶ୍ରୀ ପଣ୍ଡା କହିଛନ୍ତି ଯେ ଏହି ଜନପରାମର୍ଶଦାତା ପଦଯାତ୍ରା ରାଜ୍ୟର ସମସ୍ତ ୫୧ହଜାର ଗାଁ, ୩୭୬୦୬ଟି ବୁଥ୍ ଓ ୧୦୦୨ଟି ମଣ୍ଡଳରେ ଅନୁଷ୍ଠିତ ହେବ । ବିଜେପି କର୍ମୀମାନେ ଗାଁ ଗାଁ ବୁଲି ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାର ସଫଳତା ସମ୍ପର୍କରେ ଅବଗତ କରିବା ସହ ଶିକ୍ଷା,ସ୍ୱାସ୍ଥ୍ୟ ଓ ସମ୍ମାନ ହକରୁ ସାଧାରଣ ଲୋକେ କିଭଳି ବଂଚିତ ହୋଇଛନ୍ତି ସେ ନେଇ ଜନସଚେତନତା ସୃଷ୍ଟି କରାଯିବ । ରାଜ୍ୟରେ ଦୀର୍ଘବର୍ଷ ଧରି କଂଗ୍ରେସ ଓ ବିଜେଡି ସରକାରର ବିଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ଏହାସହିତ ରାଜ୍ୟରେ ପ୍ରଚୁର ସମ୍ଭାବନା ଥିବାବେଳେ କାହିଁକି ବିକାଶ ହେଉନି ସେ ନେଇ ଲୋକଙ୍କ ପରାମର୍ଶ ଲୋଡ଼ାଯିବ । ଏଥିପାଇଁ ଏକ ‘ପରାମର୍ଶ ପେଟି’ ପଦଯାତ୍ରାରେ ରହିବ ଓ ଲୋକମାନେ ସେମାନଙ୍କର ପରାମର୍ଶ ଏଥିରେ ଦେଇପାରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଓଡ଼ିଶାରେ ମିଶନ ୧୨୦ ପ୍ଲସ୍ ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟ ବିଜେପି କାର୍ଯ୍ୟ କରୁଛି ଓ ସାଧାରଣ ଲୋକଙ୍କ ସମର୍ଥନ ନିଶ୍ଚିତ ମିଳିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଜେପି ନିରନ୍ତର ଭାବେ ଲୋକଙ୍କ ପାଖକୁ ଯାଇଛି ଓ ସେମାନଙ୍କ ସୁଖଦୁଃଖରେ ରହିଥିବା ସେ କହିଛନ୍ତି । ନିକଟରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ପାଇଁ ବିଜେପି ଲୋକଙ୍କ ନିକଟକୁ ଯାଇ ଜନସଚେତନତା ସୃଷ୍ଟି କରିଥିଲା । ବୁଥ୍ କମିଟି ଗଠନ, ସଭ୍ୟ ସଂଗ୍ରହ, ସମସ୍ତ ବ୍ଲକରେ ଘେରାଉ, ଥାନା ଘେରାଉ ଆଦି କାର୍ଯ୍ୟକ୍ରମ ମଧ୍ୟ ବିଜେପି ଜାରି ରଖିଛି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ନିଶ୍ଚିତ ଭାବେ କ୍ଷମତାସୀନ ହେବ ବୋଲି ସେ ଦମ୍ଭୋକ୍ତି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ପଦଯାତ୍ରାରେ ଶ୍ରୀ ପଣ୍ଡା ସାମିଲ ହେବା ସହ ଏକ ସାଧାରଣ ସଭାରେ କର୍ମୀଙ୍କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ଏକାମ୍ର ନିର୍ବାଚନମଣ୍ଡଳୀର ସମ୍ଭାବ୍ୟ ବିଜେପି ପ୍ରାର୍ଥୀ ଅମୀୟ ଦାସ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version