ରାଜ୍ୟ
ଏଣିକି ଅନଲାଇନରେ ମିଳିବ ବୋର୍ଡ ଓ ୟୁନିର୍ଭସିଟି ସାର୍ଟିଫିକେଟ୍
ଭୁବନେଶ୍ୱର: ଏଣିକି ଛାତ୍ରଛାତ୍ରୀମାନେ ଅନଲାଇନରେ ନିଜର ମାଟ୍ରିକ ଓ ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟକୁ ପାଇପାରିବେ। ଆସନ୍ତା ୨-୩ମାସ ମଧ୍ୟରେ ଅନଲାଇନରେ ସାର୍ଟିଫିକେଟ୍ ପ୍ରଦାନକୁ ଶତପ୍ରତିଶତ ସ୍ୱୟଂଚାଳିତ କରାଯିବ ।
ସ୍କୁଲ ଓ ଗଣଶିକ୍ଷା ବିଭାଗର ୬ଟି ଏବଂ ଉଚ୍ଚଶିକ୍ଷା ବିଭାଗର ୨ଟି ସେବାକୁ ଏବେ ଅନଲାଇନରେ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ପ୍ରଦାନ କରାଯିବାକୁ ନିଷ୍ପତି ହୋଇଛି। ଆଜି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି। କଟକସ୍ଥିତ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ଏବଂ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ସାର୍ଟଫିକେଟ୍ ଓ ମାର୍କସିଟ୍ ପାଇବା ପାଇଁ ଛାତ୍ରଛାତ୍ରୀମାନଙ୍କ ଦରଖାସ୍ତ ଗ୍ରହଣ, ପ୍ରକ୍ରିୟାକରଣ, ବୈଧିକରଣ, ଦେୟ ଆଦାୟ, ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ ଆଦିକୁ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରୀକୃତ କରାଯିବ। ହାଇସ୍କୁଲ ମାର୍କସିଟ୍ ନକଲ, ବୋର୍ଡ ସାର୍ଟିଫିକେଟ୍ ନକଲ, ବୈଧକରଣ(ଭେରିଫିକେସନ) ସାର୍ଟିଫିକେଟ୍, ମାଇଗ୍ରେସନ୍ ସାର୍ଟିଫିକେଟ୍, ପ୍ରୋଭିଜିନାଲ ସାର୍ଟିଫିକେଟ୍ ଓ ମାର୍କସିଟ୍ ସମେତ ବିଶ୍ୱବିଦ୍ୟାଳୟର ପ୍ରୋଭିଜିନାଲ ସାର୍ଟିଫିକେଟ୍ ଓ ମାଇଗ୍ରେସନ ସାର୍ଟିଫିକେଟ୍ ଏଣିକି ଅନଲାଇନରେ ମିଳିବ।