ରାଜ୍ୟ

କୋହଳ ହେଲା ସଚିବାଳୟ କର୍ମଚାରୀଙ୍କ ପଦୋନ୍ନତି ନିୟମ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ସାଧାରଣ ନିର୍ବାଚନ ପୂର୍ବରୁ ପୁଲିସ କର୍ମଚାରୀ ଓ ସଚିବାଳୟ କର୍ମଚାରୀଙ୍କୁ ରାଜ୍ୟ ସରକାର ଉପହାର ଦେଇଛନ୍ତିି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ସରକାରୀ କର୍ମଚାରୀ ସହ ଜଡ଼ିତ ମୋଟ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।ଏହା ସହିତ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ମାସର ଅନ୍ତରୀଣ ଚିଠା ବଜେଟକୁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି।
ସୂଚନା ଅନୁସାରେ,ଓଡ଼ିଶା ପୁଲିସ ସେବା ଓ ଓଡ଼ିଶା ସଶସ୍ତ୍ର ପୁଲିସ ସେବା ନିୟମର ସଂଶୋଧନ ଏବଂ ଓଡ଼ିଶା ସଚିବାଳୟ ସେବା ନିୟମ-୨୦୧୬ରେ ସଂଶୋଧାନକୁ ମଞ୍ଜୁରୀ ମିଳିଛି। ଓଡ଼ିଶା ପୁଲିସ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ପୁଲିସ ସେବା ଓ ଓଡ଼ିଶା ସଶସ୍ତ୍ର ପୁଲିସ ସେବା ନିୟମ-୨୦୧୩ରେ ସଂଶୋଧନ କରି ବିଭାଗୀୟ ପଦୋନ୍ନତି କମିଟିର ପୁନର୍ଗଠନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଯାହାଫଳରେ କନେଷ୍ଟବଳ ପାହ୍ୟାରୁ ଡିଏସପି ପାହ୍ୟା ପର୍ଯ୍ୟନ୍ତ ପୁଲିସ କର୍ମଚାରୀମାନଙ୍କୁ ଏଣିକି ପଦୋନ୍ନତି ପାଇଁ ଅଧିକ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ସେହିପରି ସଚିବାଳୟ କର୍ମଚାରୀଙ୍କୁ ଖୁସି କରିବା ପାଇଁ ରାଜ୍ୟ ସରକାର ଏଏସଓରୁ ଏସଓ(ସେକ୍ସନ ଅଫିସର) ପାହ୍ୟାକୁ ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ୧୨ବର୍ଷର ବରିଷ୍ଠତାକୁ ହ୍ରାସ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ସଚିବାଳୟ ସେବା ନିୟମ-୨୦୧୬ରେ ଆବଶ୍ୟକ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଫଳରେ ଏଣିକି ଜଣେ ଏଏସଓ ପାହ୍ୟାରୁ ମାତ୍ର ୮ବର୍ଷ ପରେ ଏସଓ ପାହ୍ୟାକୁ ପଦୋନ୍ନତି ପାଇପାରିବ। ସେହିପରି ଅଣ୍ଡର ସେକ୍ରେଟେରୀରୁ ଡେପୁଟି ସେକ୍ରେଟେରୀ ଏବଂ ଡେପୁଟି ସେକ୍ରେଟେରୀରୁ ଜଏଣ୍ଟ ସେକ୍ରେଟେରୀ ପଦକୁ ପଦୋନ୍ନତି ନିମନ୍ତେ ଚାକିରି ଅଭିଜ୍ଞତାକୁ ଏଣିକି ୩ବର୍ଷ ପରିବର୍ତ୍ତେ ୧ବର୍ଷକୁ ହ୍ରାସ କରାଯାଇଛି । ସେହିପରି ଜଏଣ୍ଟ ସେକ୍ରେଟେରୀ ପଦରୁ ଆଡିସିନାଲ ସେକ୍ରେଟେରୀ ପଦବୀକୁ ପଦୋନ୍ନତି ନିମନ୍ତେ ୩ବର୍ଷ ଚାକିରୀ ଅଭିଜ୍ଞତା ସର୍ତ୍ତକୁ ଉଠାଇ ଦିଆଯାଇଛି। ଯାହାଫଳରେ ଏଣିକି ଯୋଗ୍ୟତା ଓ ବରିଷ୍ଠତା ଆଧାରରେ ସଚିବାଳୟ ସେବାର କର୍ମଚାରୀମାନେ ଜଏଣ୍ଟ ସେକ୍ରେଟେରୀ ପଦରୁ ଆଡସିନିକାଲ ସେକ୍ରେଟେରୀ ପଦବୀ ପଦୋନ୍ନତି ପାଇପାରିବେ।

ସେହିପରି ଓଡ଼ିଶା ସରକାରୀ ଡ୍ରାଇଭର ନିୟମାବଳୀ-୨୦୧୩ ସଂଶୋଧନକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଯାହାଫଳରେ ଏଣିକି ଡ୍ରାଇଭରମାନଙ୍କୁ ମଧ୍ୟ ପଦୋନ୍ନତି ମିଳିପାରିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version