Latest
‘ବୁଲବୁଲ୍’ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା, ୧୪ରେ ଆସିବେ କେନ୍ଦ୍ରୀୟ ଟିମ୍
‘ବୁଲବୁଲ୍’ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ପ୍ୟାକେଜ ଘୋଷଣା କରିଛନ୍ତି। ବାତ୍ୟା ‘ବୁଲବୁଲ୍’ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସିବେ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ଏସଆରସି ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।
ଭୁବନେଶ୍ୱର (ଓଡ଼ିଶା ୱେୟାର): ‘ବୁଲବୁଲ୍’ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ପ୍ୟାକେଜ ଘୋଷଣା କରିଛନ୍ତି। ବାତ୍ୟା ‘ବୁଲବୁଲ୍’ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସିବେ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ଏସଆରସି ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।
ସମୀକ୍ଷା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଏହା ପରେ ଲୋକସେବା ଭବନରେ ପ୍ରଭାବିତ ଅଞ୍ଚଳ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେସିଂ ଯୋଗେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ। ଘୋଷଣା ଅନୁସାରେ ଅଣ ଜଳସେଚିତ ଜମି ପାଇଁ ୩୩ ପ୍ରତିଶତ ବା ଅଧିକ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି ଦିଆଯିବ। ଜଳସେଚିତ ଜମିରେ ଏହି ସହାୟତା ପରିମାଣ ହେକ୍ଟର ପିଛା ୧୩ ହଜାର ୫ ଶହ ଟଙ୍କା ଓ ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ପ୍ରଦାନ କରାଯିବ।
ସେହିପରି ଆଂଶିକ କ୍ଷତି ହୋଇଥିବା ଡଙ୍ଗା ପାଇଁ ୪୧୦୦ ଟଙ୍କା, ଆଂଶିକ କ୍ଷତି ହୋଇଥିବା ଜାଲ ପାଇଁ ୨୧ ଶହ ଟଙ୍କା, ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୯୬୦୦ ଟଙ୍କା ଓ ସଂପୂର୍ଣ୍ଣ ନଷ୍ଟହୋଇଥିବା ଜାଲ ପାଇଁ ୨୬୦୦ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମାଛ ଚାଷୀଙ୍କ ପାଇଁ ହେକ୍ଟର ପିଛା ୧୨୨୦୦ ଓ ଇନ୍ପୁଟ୍ ସବ୍ସିଡି ଭାବରେ ହେକ୍ଟର ପିଛା ୮୨୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। କ୍ଷୀର ଦେଉଥିବା ଗାଈ ଓ ମଇଁଷି ପାଇଁ ମଧ୍ୟ ସହାୟତା ଘୋଷଣା ହୋଇଛି। କ୍ଷୀର ଦେଉଥିବା ପ୍ରତି ପ୍ରାଣୀ ପାଇଁ ୩୦ ହଜାର ଟଙ୍କା ଓ କ୍ଷୀର ଦେଉ ନଥିବା ପ୍ରାଣୀ ପାଇଁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।