ରାଜ୍ୟ

କାଳିଆ ଯୋଜନା ଆରମ୍ଭ,ପଞ୍ଚାୟତରେ ଚିହ୍ନଟ ହେବେ ଚାଷୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷରେ ଭେଟି ଦେଇଛନ୍ତି। ‘କାଳିଆ’ ଯୋଜନା ଘୋଷଣାର ଠିକ୍‌ ୧୦ ଦିନ ପରେ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହାସହିତ ‘କାଳିଆ’ର ଲୋଗୋ ଓ ଏହି ଯୋଜନା ସଂପର୍କିତ ପୋର୍ଟାଲ୍‌କୁ ବି ଉନ୍ମୋଚିତ କରିଛନ୍ତି। ଏହି ଯୋଜନାରେ ପ୍ରାୟ ୨୧.୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ହିତାଧିକାରୀ ତାଲିକା ମଧ୍ୟ ପ୍ରକାଶ ପାଇଛି। ପ୍ରଥମ ପର‌୍ୟ୍ୟାୟରେ ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯିବ। ତେବେ ଏହି ଯୋଜନାରେ ଯୋଗ୍ୟ ଚାଷୀ ଚିହ୍ନଟ ବେଳେ ଯେପରି ପ୍ରକୃତ ଓ ଯୋଗ୍ୟ ଚାଷୀ ବାଦ୍‌ ନ ପଡ଼ନ୍ତି, ସେଥିପ୍ରତି ନଜର ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଗିଦ୍‌ କରିଦେଇଛନ୍ତି।

ଆଜି ସଚିବାଳୟରେ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘କାଳିଆ’ ଯୋଜନାକୁ ଉଦ୍‌ଘାଟନ କରିଥିଲେ। ଏହାକୁ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସବୁଠାରୁ ବଡ଼ ଯୋଜନା ଅଭିହିତ କରି ଏଥିପାଇଁ ସେ ଖୁସି ବୋଲି କହିଥିଲେ। ଏହି ଯୋଜନାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହେବେ। ଏଥିରେ ଉଭୟ ଋଣୀ ଓ ଅଣଋଣୀ ସବୁ ଚାଷୀ ସାହାଯ୍ୟ ପାଇବେ। ଏହାଛଡ଼ା ଚାଷୀଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ପର‌୍ୟ୍ୟନ୍ତ ଋଣ ଦିଆଯିବ। ବୀମା ସୁବିଧା ବି ଉପଲବ୍ଧ ହେବ। ଚାଷୀମାନେ ୫ଟି ଫସଲ ଋତୁ ପାଇଁ ୫ ହଜାର ହିସାବରେ ୨୫ ହଜାର ଟଙ୍କାର ସହାୟତା ପାଇବେ। ଏହି ସୁବିଧାରୁ ଜଣେ ବି ଯୋଗ୍ୟ ଚାଷୀ ଯେପରି ବଞ୍ଚିତ ନ ହେବ ସେ ନେଇ ମୁଖ୍ୟମନ୍ତ୍ରୀ କୃଷି, ସମବାୟ ଓ ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଦେଇଥିଲେ। ଯୋଜନାକୁ ମିସନ ଭାବେ କାର‌୍ୟ୍ୟକାରୀ କରିବାକୁ ବି ସେ କହିଥିଲେ।‘‘ଚାଷୀଙ୍କ ସହିତ ମୁଁ ସବୁବେଳେ ରହିଛି, ସେମାନଙ୍କ ପାଇଁ କାମ କରୁଛି ଓ କରିଚାଲିବି,’’ ଏଭଳି କହିବା ସହିତ ନୂଆବର୍ଷ ପାଇଁ ସମସ୍ତଙ୍କର ସେ ଶୁଭକାମନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର,ପ୍ରଫୁଲ୍ଲ ସାମଲ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Most Popular

Exit mobile version