ରାଜନୀତି

ବ୍ଲାକମେଲିଂ କାର୍ଡ ଖେଳିଲେ ଦାମ, ରାସ୍ତାକୁ ଓହ୍ଲାଇଲେ କଂଗ୍ରେସ କର୍ମୀ

Posted on

  • ସପକ୍ଷରେ ରାସ୍ତାକୁ ଓହ୍ଲାଇଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର/ଏରସମା : ବିଜେଡିରେ ନିଜର ସ୍ଥିତିକୁ ରକ୍ଷା କରିବା ପାଇଁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ନିଜର ଶେଷ ଅସ୍ତ୍ର ପ୍ରୟୋଗ କରିଛନ୍ତି।ଦଳୀୟ ଟିକେଟରୁ ବଂଚିତ ହେବା ଆଶଙ୍କା କରି ଡାକ୍ତର ରାଉତ ଗତ କିଛିଦିନ ଧରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗୋଟିଏପରେ ଗୋଟିଏ ଦୁର୍ନୀତି ଅଭିଯୋଗ ଆଣି ବ୍ଲାକମେଲିଂ ଫର୍ମୂଲା ଆପଣାଇବା ଏବେ ତାଙ୍କ ପାଇଁ ବୁମେରାଂ ପାଲଟିଛି।ତଥାପି ନିଜକୁ ଲୋକପ୍ରିୟ ନେତା ଭାବେ ଦର୍ଶାଇବା ଓ ବିଜେଡି ସୁପ୍ରିମୋଙ୍କ ଉପରେ ଚାପ ସୃଷ୍ଟି ନିମନ୍ତେ ଆଜି ଅପରାହ୍ନରେ ଏରସମା, କୁଜଙ୍ଗ ଓ ପାରାଦୀପରେ ହାତଗଣତି କଂଗ୍ରେସ କର୍ମୀଙ୍କ ସହାୟତାରେ ବିରୋଧ କାର୍ଯ୍ୟକ୍ରମ ଆୟୋଜନ କରିଥିବା ରାଜନୀତିକ ମହଲରେ ଚର୍ଚ୍ଚା।ତେବେ ଦାମଙ୍କ ଏଭଳି ବ୍ଲାକମେଲିଂ କାର୍ଯ୍ୟକ୍ରମ ପୁଣିଥରେ ତାଙ୍କ ପାଇଁ ବୁମେରାଂ ହେବାକୁ ଯାଉଛି।
ମିଳିଥିବା ସୂଚନା ଅନୁସାରେ, ଗତ ୯ତାରିଖରେ ଏରସମାରେ ବିପ୍ଲବ ଦିବସ ପାଳନ ଅବସରରେ ଡାକ୍ତର ରାଉତ କଂଗ୍ରେସ ଓ ବିଜେପିର ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀଙ୍କ ସହ ଗୋଟିଏ ମଂଚରେ ବସି ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ବିରୁଦ୍ଧରେ ବିଷୋଦଗାର କରିଥିଲେ।ଏରସମା ମାଟିର ସାହାସିକତା ଓ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ପାଳିତ ହେଉଥିବା ବିପ୍ଲବ ଦିବସକୁ ରାଜନୀତିକ ପ୍ଲାଟଫର୍ମ ଭାବେ ଡାକ୍ତର ରାଉତଙ୍କ ସମେତ କଂଗ୍ରେସ ଓ ବିଜେପିର ନେତାମାନେ ଉପଯୋଗ କରିଥିଲେ ବୋଲି ବିଧାୟକ ଶ୍ରୀ ମୁଦୁଲି ଗତକାଲି ଓ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ଅଭିଯୋଗ କରିଥିଲେ।
ବିଧାୟକ ଶ୍ରୀ ମୁଦୁଲିଙ୍କ ନେତୃତ୍ୱରେ ଏରସମା ଓ ବାଲିକୁଦା ଅଂଚଳର ୨ହଜାରରୁ ଊଦ୍ଧ୍ୱର୍ ବିଜେଡି କର୍ମୀ ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟି ଡାକ୍ତର ରାଉତଙ୍କ ଦଳବିରୋଧୀ ଗତିବିଧି ସମ୍ପର୍କରେ ତଥ୍ୟଭିତିକ ପ୍ରମାଣ ଦେଇଥିଲେ।ପଂଚାୟତ ନିର୍ବାଚନରେ ଡାକ୍ତର ରାଉତଙ୍କ ଦ୍ୱାରା ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ଏରସମାର ବିଭିନ୍ନ ସ୍ଥାନରେ ପ୍ରାର୍ଥୀ ଛିଡ଼ା କରାଇବାଠୁ ଆରମ୍ଭ କରି ସଂଗଠନକୁ ଦୁର୍ବଳ ପାଇଁ କରୁଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଏରସମାର ବିଜେଡି କର୍ମୀମାନେ ଅଭିଯୋଗ କରିଥିଲେ।
ତେବେ ଏସବୁ ଅଭିଯୋଗ ଉପରେ ଗୁରୁତ୍ୱର ସହ ବିଚାର କରୁଛି ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିବା ପରେ ତାଙ୍କର ଦିନକାଳ ବିଜେଡିରେ ସରିଆସୁଥିବାର ଡାକ୍ତର ରାଉତ ଆଶଙ୍କା କରିଥିଲେ।ସକାଳେ ବିଧାନସଭା ପରିସରରେ ନିଜର ସ୍ୱରକୁ ଶାଣିତ କରି ବିଜେଡିକୁ ଜଣେ ଅଫିସର ଓ ୩ଜଣ ଯୁବନେତା ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ ଓ ଦେବାଶିଷ ସାମନ୍ତରାୟ ପରିଚାଳନା କରୁଛନ୍ତି ଏବଂ ସେ ଆଉ ବିଜେଡିରେ ନାହାନ୍ତି ବୋଲି କହିଥିଲେ ମଧ୍ୟ ସନ୍ଧ୍ୟାରେ ଏକ ଭିଡିଓ ଜାରି କରି ନିଜର ସ୍ୱରକୁ ନରମ କରିଥିଲେ।
କିନ୍ତୁ କାଳେ ଦଳୀୟ କାର୍ଯ୍ୟାନୁଷ୍ଠାନ ହେବ ସେହି ଆଶଙ୍କାରେ ଏରସମା, କୁଜଙ୍ଗ ଓ ପାରାଦୀପରେ କିଛି କଂଗ୍ରେସ ଓ ଅନ୍ୟ ଦଳର କର୍ମୀମାନଙ୍କୁ ଏକଜୁଟ କରାଇ ବିଜେଡି ସୁପ୍ରିମୋଙ୍କ ଉପରେ ଚାପ ସୃଷ୍ଟି ପାଇଁ ଡାକ୍ତର ରାଉତ ପ୍ରୟାସ କରିଛନ୍ତି।ଏପରିକି ଏରସମାରେ କଂଗ୍ରେସର ସରପଂଚ ପ୍ରାର୍ଥୀ କ୍ଷେତ୍ରବାସୀ ବେହେରାଙ୍କ ନେତୃତ୍ୱରେ ହାତଗଣତି ୧୦-୧୨ଜଣ ଲୋକ ଏକଜୁଟ ହୋଇ ଡାକ୍ତର ରାଉତଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିବା ଦେଖାଯାଇଥିଲା।ସ୍ଥାନୀୟ ବିଧାୟକଙ୍କ ପ୍ରତି ଅସମ୍ମାନଜନକ ସ୍ଲୋଗାନ ମାନ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥିବା ଦେଖିବାକୁ ମିଳିଛି।ସେହିପରି ଅନୁରୂପ କାର୍ଯ୍ୟକ୍ରମ କୁଜଙ୍ଗ ଓ ପାରାଦୀପରେ ଆୟୋଜିତ କରାଯାଇ ବିଷ୍ଣୁଙ୍କ କୁଶପୁତଳିକା ଦାହ ଓ ଦାମଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନକରିବା ପାଇଁ ଦାବି କରାଯାଇଛି।ଆଉ ଏସବୁ କାର୍ଯ୍ୟକ୍ରମ ଦାମଙ୍କ ଘନିଷ୍ଠ ଥିବା କିଛି ପୁରୁଣା ଅସନ୍ତୁଷ୍ଟ କଂଗ୍ରେସ କର୍ମୀଙ୍କ ଇସାରାରେ ହୋଇଥିଲା ବୋଲି ସ୍ଥାନୀୟ ଅଂଚଳର ଲୋକମାନେ ମତବ୍ୟକ୍ତ କରିଛନ୍ତି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ଡାକ୍ତର ରାଉତଙ୍କ ଦଳବିରୋଧୀ କାର୍ଯ୍ୟ ସମ୍ପର୍କରେ ଏରସମା-ବାଲିକୁଦା ବିଧାୟକ ଶ୍ରୀ ମୁଦୁଲି ଏବଂ ହଜାର ହଜାର କର୍ମୀଙ୍କ ଅଭିଯୋଗ ଉପରେ ବିଚାର କରିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଶ୍ୱାସନା ଦେଇଥିବାବେଳେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି।କିନ୍ତୁ ଏରସମା, କୁଜଙ୍ଗ ଓ ପାରାଦୀପ ଅଂଚଳରେ କଂଗ୍ରେସ ସଂଗଠନ ସହ ଜଡ଼ିତ ବ୍ୟକ୍ତିମାନେ ଯେଭଳି ଢଙ୍ଗରେ ଆଜି ବିରୋଧ ପ୍ରଦର୍ଶନ କରିଛନ୍ତି ତାହା ଯେ ଡାକ୍ତର ରାଉତଙ୍କ ବିନା ସମ୍ମତିରେ ହୋଇଛି ତାହା କୁହାଯାଇନପାରେ।ଏହା ପରୋକ୍ଷରେ ଦଳର ସୁପ୍ରିମୋଙ୍କ ଉପରେ ଚାପ ସୃଷ୍ଟି ସହ ବ୍ଲାକମେଲିଂ କରିବା ଭଳି।ଦୀର୍ଘ ୨ଦଶନ୍ଧି ଧରି ବିଜେଡିର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ଡାକ୍ତର ରାଉତଙ୍କ ସମର୍ଥନରେ ବିଜେଡିର ଜଣେ ବି ନେତା ଏରସମା ଅଂଚଳରେ ବାହାରିନଥିବାବେଳେ କଂଗ୍ରେସ କର୍ମୀମାନେ ତାଙ୍କ ସପକ୍ଷରେ ରାସ୍ତାକୁ ଓହ୍ଲାଇ ସ୍ଥାନୀୟ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ।ଯାହାକି ଦାମଙ୍କର କଂଗ୍ରେସ ସହ ରହିଥିବା ଭିତରି ସମ୍ପର୍କକୁ ପଦାରେ ପକାଇଛି ବୋଲି ସାଧାରଣରେ ଚର୍ଚ୍ଚା ।
ନବୀନ ନିବାସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଶୁକ୍ରବାର ଡାକ୍ତର ରାଉତଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version