ରାଜ୍ୟ

ସରକାର ଭିତରର କିଛି ବନ୍ଧୁ ସରକାରଙ୍କୁ ବଦନାମ କରୁଛନ୍ତି : ଦାମ

Posted on

ଭୁବନେଶ୍ୱର : ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ମିଳିବା ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଆଜି ଖୋଲାଖୋଲି ଭାବେ ପୁରୀ ଜିଲ୍ଲାପାଳ ଓ ନିଜ ସରକାରର କିଛି ଗୃହଭେଦୀ ବିଭୀଷଣଙ୍କୁ ଦାୟୀ କରିଛନ୍ତି । ପୂର୍ବତନ ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି । ଡାକ୍ତର ରାଉତ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜନୀତିକ ସମର୍ଥନ ହାସଲ ପାଇଁ ବିଜେପି ଏବେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ରାଜନୀତି କରୁଛି । ସାମଗ୍ରିକ ଭାବେ ଦେଖିଲେ ସରକାର ଏଥିପାଇଁ ବଦନାମ ହେଉଛି । ଆଉ ସରକାର ଭିତରେ ଥିବା କିଛି ବନ୍ଧୁ ବି ଏଭଳି କରୁଥାଇ ପାରନ୍ତି । ପ୍ରକୃତ ଚାବି ଦେଖିଲେ ସିନା ଜଣେ ନକଲି ଚାବି କରିବ । ଯଦି ଓରିଜିନାଲ ଚାବି ନାହିଁ ତା’ହେଲେ ଡୁପ୍ଲିକେଟ୍ ହେଲା କେମିତି ବୋଲି ପ୍ରଶ୍ନ କରିଛନ୍ତି । ଚାବି ଟ୍ରେଜେରୀରେ ରହିବା ପରିବର୍ତେ ରେକର୍ଡ ରୁମକୁ ଗଲା କେମିତି? ସବୁଠୁ ବଡ଼କଥା ହେଲା ଯେଉଁ ଲଫାପା ଭିତରେ ଚାବି ରହିଥିଲା ବୋଲି କୁହାଯାଉଛି, ସେତେବେଳେ ଡାକ ବିଭାଗ ପକ୍ଷରୁ ସେଭଳି ଲଫାପା ବାହାରି ନଥିଲା । ଏହା ସନ୍ଦେହର କୁହେଳିକା ସୃଷ୍ଟି କରୁଛି । ପୁରୀ ଜିଲ୍ଲାପାଳଙ୍କ ଶ୍ରୀମନ୍ଦିର ପରିଚାଳନାରେ ଅଖଣ୍ଡ ପ୍ରଭାବ ଥାଏ । ଆଉ ଆବଶ୍ୟକତାଠୁ ଅଧିକ ସମୟ ସେଠାରେ ସେ ଜିଲ୍ଲାପାଳ ରହିଲେଣି । ବୋଧହୁଏ ସରକାରଙ୍କ ସେ ଉପକାର କରୁଛନ୍ତି, ସେଥିପାଇଁ ତାଙ୍କୁ ସେଠାରେ ରଖିଛନ୍ତି ବୋଲି ଦାମ କଟାକ୍ଷ କରିଛନ୍ତି । ଏସବୁ ଘଟଣାରେ ରାଜନୀତି ଖେଳ ଥିବା ଭଳି ଲାଗୁଛି । ଯିଏ ଯାହା କରୁଛି ତାଙ୍କ ସବୁ କଥା ସେହି ଜଗନ୍ନାଥ ବୁଝିବେ । ୧୯୭୮ ମସିହାରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲାଯାଇଥିଲା । ଚାବି କାହାପାଖରେ ରହିଛି ସେ ଜାଣିବା କଥା । ୧୯୯୫ ମସିହାରେ ଯିଏ ଆଇନ ମନ୍ତ୍ରୀ ଥିଲେ ସିଏବି ଜାଣିଥିବେ ବୋଲି ଡାକ୍ତର ରାଉତ କହିଛନ୍ତି । ଅନ୍ୟପକ୍ଷରେ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଡୁପ୍ଲିକେଟ୍ ଚାବି କ’ଣ ସେ ଜାଣନ୍ତି ନାହିଁ । ଆଇନରେ ସେଭଳି ଚାବିର ବ୍ୟବସ୍ଥା ବି ନାହିଁ । ଏ ଘଟଣାରେ ସରକାର କିଛି ଲୁଚାଇଥିବା ଭଳି ଲାଗୁଛି । ଜିଲ୍ଲାପାଳ କାହା ନିର୍ଦ୍ଦେଶରେ କାମ କରୁଛନ୍ତି ସେ ଜାଣିପାରୁ ନାହାନ୍ତି । ତେବେ ସରକାର ଏହି ଘଟଣା ପାଇଁ ଦାୟୀ ବୋଲି ସେ କହିଛନ୍ତି । ସେହିପରି ବିଜେଡି ମୁଖପାତ୍ର ତଥା ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ଜିଲ୍ଲାପାଳ ତାଙ୍କ ଦାୟିତ୍ୱ ସମ୍ପନ୍ନ କରୁଛନ୍ତି । ବିଜେପି ଭାବାନତ୍ମକ ଭାବେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛି, କିନ୍ତୁ ଏଥିରେ ବିଜେପି ସଫଳ ହେବ ନାହିଁ । ରତ୍ନଭଣ୍ଡାର ଚାବିକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଉଠିଛି । କମିଶନ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ତଦନ୍ତ ପରେ ସବୁକିଛି ତଥ୍ୟ ପଦାକୁ ଆସିବ । ଏହା ଉପରେ ଅଧିକ ଚର୍ଚ୍ଚା କରାଯିବା ଅନୁଚିତ୍ ବୋଲି ଶ୍ରୀ ଶତପଥୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version