ରାଜନୀତି

ଏଥର ପାଲଲହଡ଼ା ବିଧାନସଭାରୁ ଲଢ଼ିବେ ଧର୍ମେନ୍ଦ୍ର

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ): ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଧାନସଭା ପାଇଁ ପ୍ର୍ରତିଦ୍ୱନ୍ଦ୍ୱିତା କରିବେ।ତା’ପୁଣି ନିଜର ପୁରୁଣା ଆସନ ପାଲଲହଡ଼ାରୁ। ଆଜି ଏଭଳି ସଙ୍କେତ ଦେଇ ଧର୍ମେନ୍ଦ୍ର ନିଜର ରାଜନୀତିକ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ଚାଲିଥିବା ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଅନୁଗୁଳ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ତେବେ ପାଲଲହଡ଼ା ନିର୍ବାଚନମଣ୍ଡଳୀର ମୁଣ୍ଡୁରିବେଡ଼ାର ଖମାରି ପ୍ରାଥମିକ ସ୍କୁଲର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ଲୋକଙ୍କ ଆଗରେ ନିଜର ମନର କଥା କହିଥିଲେ।ଗତଥର ନିଜ ଭୁଲ୍ ଯୋଗୁ ହାରିଥିବାକୁ ସ୍ୱୀକାର କରି ଧର୍ମେନ୍ଦ୍ର ଏଥର ଅଧିକ ସମର୍ଥନ ଆଶା କରୁଛନ୍ତି ବୋଲି କହିଥିଲେ।ଯାହାକୁ ସେଠାରେ ଉପସ୍ଥିତ ଲୋକମାନେ ବି ଜୋରରେ କରତାଳି ମାଧ୍ୟମରେ ସମର୍ଥନ ଜଣାଇଥିଲେ।ଧର୍ମେନ୍ଦ୍ର ୨୦୦୦ ମସିହାରେ ପାଲଲହଡ଼ା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ ମଧ୍ୟ ୨୦୦୯ ମସିହାରେ ପରାଜିତ ହୋଇଥିଲେ।ଏବେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଧର୍ମେନ୍ଦ୍ର ନିଜ ପୁରୁଣା ସ୍ଥାନ ଉପରେ ନଜର ପକାଇବା ସହ ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦାବିଦାରୀକୁ ସୁନିଶ୍ଚିତ କରାଇଛନ୍ତି।

ଦୁଇଦିନ ତଳେ ଓଡ଼ିଶା ଆସିବା ପୂର୍ବରୁ ଦିଲ୍ଲୀରେ ତାଙ୍କ ମା’ଙ୍କୁ ମୁଣ୍ଡୁରିବେଡ଼ା ଯିବା ସମ୍ପର୍କରେ ସୂଚନା ଦେଇଥିଲେ । ମୁଣ୍ଡୁରିବେଡ଼ା ସହ ତାଙ୍କ ପରିବାରର ଭାବଗତ ସମ୍ପର୍କ ବିଷୟରେ ମା’ ପଚାରିଥିଲା।ଆଗରୁ ଏମଏଲଏ ଥିଲି, ମୁଣ୍ଡୁରିବେଡ଼ାର ଲୋକମାନେ ବହୁତ ସଂଖ୍ୟାରେ ଭୋଟ୍ ଦେଇ ଜିତାଇଥିଲେ।ପଛରେ ଦେଲେନି ତେଣୁ ହାରିଗଲି ବୋଲି ମା’କୁ କହିଥିଲି।ତେବେ ଧର୍ମେନ୍ଦ୍ରଙ୍କ ଏହି କଥା ଶୁଣି ସେହି କାର‌୍ୟ୍ୟକ୍ରମରେ ଉପସ୍ଥିତ ଲୋକମାନେ ଏ ‘ଭୁଲ୍ କଥା’ ବୋଲି କହିଥିଲେ।ତେବେ ଲୋକଙ୍କୁ ଶାନ୍ତ କରାଇ ଧର୍ମେନ୍ଦ୍ର କହିଥିଲେ ଯେ, ହଁ ସେ ତାଙ୍କ ନିଜ ଭୁଲ୍ ଯୋଗୁ ହାରିଛନ୍ତି।କିନ୍ତୁ ଏଥର ଅଧିକ ଆଶୀର୍ବାଦ ଆଶା କରିବି।କରିବି କି ନାହିଁ? ଉପସ୍ଥିତ ଲୋକ ଜୋରରେ ହଁ କହିଥିଲେ।କିନ୍ତୁ ସେତିକିରେ ଅଟକି ନଯାଇ ଧର୍ମେନ୍ଦ୍ର ପୁଣି କହିଥିଲେ ଯେ, ମା’ମାନେ ଆଶୀର୍ବାଦ କରିବେ ନା ନାହିଁ।ମହିଳାମାନେ ବି ହଁ ମାରି ସମର୍ଥନ ଜଣାଇଥିଲେ।ମୁଣ୍ଡୁରିବେଡ଼ା ତାଙ୍କ ମା’ର ମାମୁଁ ଘର ଗାଁ ବୋଲି ଧର୍ମେନ୍ଦ୍ର କହିବା ସହ ତାଙ୍କ ପରିବାରକୁ ଏ ସ୍ଥାନରେ ପହଂଚାଇଥିବାରୁ ସ୍ଥାନୀୟ ଲୋକମାନଙ୍କୁ କୃତଜ୍ଞତା ଜଣାଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version