Latest

କନ୍ଦରପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ରାକାକୁ ଏନ୍‌କାଉଣ୍ଟର

Posted on

କଟକ (ଓଡ଼ିଶା ୱେୟାର): ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା ପୁଲିସ ଏନକାଉଣ୍ଟରରେ ଆହତ ହୋଇଛି। ପୁଲିସ ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି।ରାକା ସହ ଗୁଳି ବିନିମୟବେଳେ ଦୁଇଜଣ ପୁଲିସ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକା କଟକରୁ ବାଇକ୍ ଯୋଗେ ନିଜ ଘର ଜଗତସିଂହପୁରର ବାଲିକୁଦା ଆସୁଥିବାର ଖବର କନ୍ଦରପୁର ପୁଲିସକୁ ଆଜି ସକାଳ ସାଢ଼େ ୬ଟା ସମୟରେ ମିଳିଥିଲା। ତାକୁ ଧରିବା ପାଇଁ କନ୍ଦରପୁର ପୁଲିସ ପରମହଂସ-ଅଥଙ୍ଗା ନଦୀ ବନ୍ଧରେ ୪୨ମୌଜା ବ୍ରିଜ୍ ପାଖରେ ତାକୁ ଧରିବା ପାଇଁ ଜାଲ ବିଛାଇଥିଲେ। ପୁଲିସ ତାକୁ ଅଟକାଇବା ସମୟରେ ସେ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ଆତ୍ମସର୍ମପଣ ପାଇଁ ପୁଲିସର ତାଗିଦ୍ ସତ୍ତ୍ୱେ ସେ ଗୁଳି ଚଳାଇବା ବନ୍ଦ ନକରିବା ପରେ ପୁଲିସ ନିଜ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲା। ଏହି ଗୁଳି ବିନିମୟବେଳେ କନ୍ଦରପୁର ଆଇଆଇସି ଓ ସବଇନ୍ସପେକ୍ଟର ରାଧାକାନ୍ତ ସେଠୀ ଆହତ ହୋଇଛନ୍ତି। ରାକା ଠାରୁ ୭ଏମଏମ୍ ପିସ୍ତଲ ଓ ୩ ରାଉଣ୍ଡ ଜୀବନ୍ତ ଗୁଳି ସହ ଆପାଚି ବାଇକ୍ ଜବତ ହୋଇଛି।
କନ୍ଦରପୁର ବଜାରରେ ସେପ୍ଟେମ୍ବର ୯ତାରିଖରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଅପରାଧରେ ରାକାକୁ ପୁଲିସ ଖୋଜୁଥିଲା। ରାକା ନାଁରେ ଜଗତସିଂପୁର ଜିଲ୍ଲାର ବିଭିନ୍ନ ଥାନାରେ ୧୨ରୁ ଅଧିକ ମାମଲା ରୁଜୁ ହୋଇଛି।
ରାକାକୁ ଏନକାଉଣ୍ଟର କରିବା ପରେ ବାଲିକୁଦା ଥାନା ଅଂଚଳର ତା’ର ଅନ୍ୟ ୨ଜଣ ସହଯୋଗୀକୁ ପୁଲିସ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version