Latest

ଦଳ ଛାଡ଼ିଲେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା

Posted on

ନିର୍ବାଚନ ପୂର୍ବରୁ ଦଳ ଛାଡ଼ୁଛନ୍ତି ଜଣକ ପରେ ଜଣେ ଟାଣୁଆ ନେତା । ନିକଟରେ ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ିଥିବା ବେଳେ ଆଜି କଂଗ୍ରସ ହାତ ଛାଡ଼ି ଦେଇଛନ୍ତି ଗଣେଶ୍ୱର ବେହେରା । ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇଛନ୍ତି । କିନ୍ତୁ ସେ ଦଳ ଛାଡ଼ିବାର କୌଣସି କାରଣ ସମ୍ପର୍କରେ ଇସ୍ତଫା ପତ୍ରରେ କିଛି ଲେଖିନାହାଁନ୍ତି । ପିପିସି ସଭାପତିଙ୍କୁ ପଠାଇଥିବା ଚିଠିରେ ସେ ଲେଖିଛନ୍ତି, “ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୋର ଇସ୍ତଫା ପତ୍ର ଗ୍ରହଣ କରିବାକୁ ଅନୁରୋଧ କରୁଛି । କଂଗ୍ରେସ ଦଳ ମତେ ବିଧାୟକ ତଥା କର୍ମକର୍ତ୍ତା ଭାବେ ଲୋକଙ୍କ କାମ କରିବାକୁ ସୁଯୋଗ ଦେଇଥିବାରୁ ଆପଣଙ୍କ ଜରିଆରେ ଦଳ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି |

ଗଣେଶ୍ୱର ବେହେରା କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ । ଦୃଢ ସଂଗଠକ ଭାବେ କାର୍ଯ୍ୟ କରିଥିଲେ ଗଣେଶ୍ୱର । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଗତ ୩ଟି ନିର୍ବାଚନରେ ପରାସ୍ତ ହେଲେଣି ସତ, କିନ୍ତୁ ତାଙ୍କର ପରାଜୟ ବ୍ୟବଧାନ ୭ରୁ ୧୦ ହଜାର ଭିତରେ ସୀମିତ ରହିଛି।1985 ମସିହାରେ ପଟ୍ଟାମୁଣ୍ଡାଇ ଆସନରୁ ପ୍ରଥମ ଥର ବିଧାୟକ ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରାକୁ ପଟ୍ଟାମୁଣ୍ଡାଇ ଆସନରୁ ପରାଜିତ କରିଥିଲେ । ଏହାପରେ 1990 ରେ ବିକ୍ରମ କେଶରୀ ଦେଓଙ୍କ ଠାରୁ ଜୁନାଗଡ଼ ଆସନରୁ ପରାସ୍ତ ହୋଇଥିଲେ । ଏହା ପରେ 1995 ରେ ପଟ୍ଟାମୁଣ୍ଡାଇ ଆସନରୁ ପୁଣି ଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ସିପ୍ରା ମଲ୍ଲିକଙ୍କୁ ପରାସ୍ତ କରିଥିଲେ ଗଣେଶ୍ୱର । ଏହାପରେ 2000, 2004, 2009, 2019 ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଥିଲେ ଗଣେଶ୍ୱର ବେହେରା । ଗଣେଶ୍ୱର ବେହେରା ଦଳ ଛାଡିବା ପରେ ବିଜେଡ଼ିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ତାଙ୍କର ଆଗାମୀ ପଦକ୍ଷେପ କଣ ରହିବ ତା’ଉପରେ ନଜର ।

Leave a Reply

Your email address will not be published. Required fields are marked *

Most Popular

Exit mobile version