ରାଜ୍ୟ

ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ କଳାପତାକା ପ୍ରଦର୍ଶନ

Posted on

ବଲାଙ୍ଗିର: ଫସଲ ଋଣ ଓ ବୀମା ସୁବିଧାରୁ ବଂଚିତ ହେବା ପ୍ରତିବାଦରେ ରାଜ୍ୟ ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଆଜି ବଲାଙ୍ଗିରରେ କଳାପତାକା ପ୍ରଦର୍ଶନ କରାଯାଇଛି।ମନ୍ତ୍ରୀ ଜିଲ୍ଲା ଗସ୍ତରେ ଥିବାବେଳେ ତାଙ୍କୁ ରାସ୍ତାରେ ଅଟକାଇ କିଛି ଲୋକ ନିଜର ଅସନ୍ତୋଷ ଜଣାଇବା ସହ କଳାପତାକା ପ୍ରଦର୍ଶନ କରିଥିବା ଜଣାପଡ଼ିଛି।ଦୀର୍ଘ ପ୍ରାୟ ୨ବର୍ଷ ପରେ ପୁଣିଥରେ କଳାପତାକା ପ୍ରଦର୍ଶନ କରି ମନ୍ତ୍ରୀମାନଙ୍କୁ ବିରୋଧ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଅନୁସାରେ ବଲାଙ୍ଗିର ଓ ଲୋଇସିଂହା ବ୍ଲକରେ ୯୦ ପ୍ରତିଶତ ଚାଷୀ ଫସଲ ବୀମା ରାଶି ପାଇବାରୁ ବଂଚିତ ହୋଇଥିବା ପ୍ରତିବାଦରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଗାଡ଼ିକୁ ଅଟକାଇ ପ୍ରତିବାଦ ଜଣାଇଥିଲେ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ଲୋକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଉପସ୍ଥିତ ଲୋକମାନେ ଗାଇସିଲେଟ ବ୍ଲକରେ ସବୁ ଚାଷୀଙ୍କୁ ଫସଲ ବୀମା ଓ ଋଣ ମିଳିଥିବାବେଳେ ଏଠି କାହିଁକି ମିଳିନି ବୋଲି ପ୍ରଶ୍ନ କରିଥିଲେ । ନିର୍ବାଚନ ଥିବାରୁ ଗାଇସିଲେଟ୍ ବ୍ଲକରେ ସରକାର ଫସଲ ବୀମା ଦେଲେ କିନ୍ତୁ ଏଠି ଦେଲେନି ବୋଲି ଅଭିଯୋଗ କରିଥିଲେ । ସେହିପରି ସ୍ଥାନୀୟ ବିଧାୟକଙ୍କୁ ନଡାକି ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିବାରୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ । ଅବଶ୍ୟ ଉପସ୍ଥିତ ଲୋକଙ୍କ ସହ ସନ୍ଧ୍ୟାରେ ଆଲୋଚନା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତା’ସତ୍ୱେ ଲୋକମାନେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ । ସୂଚନାଯୋଗ୍ୟ, ଶ୍ରୀ ପାତ୍ର ବଲାଙ୍ଗିର ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ମଧ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version