ରାଜ୍ୟ
ଠିକା ଡାକ୍ତରଙ୍କ ବୟସସୀମା ୭୦କୁ ବଢିବ
ଭୁବନେଶ୍ୱର(ଓଡ଼ିଶା ୱେୟାର): ଅବସର ଗ୍ରହଣ କରିଥିବା ଡାକ୍ତରମାନେ ଏଣିକି ୭୦ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚିକିତ୍ସାଳୟରେ ଠିକା ଭିତ୍ତିରେ କାର୍ଯ୍ୟ କରିପାରିବେ । ପୂର୍ବରୁ ଏହି ବୟସସୀମାକୁ ସରକାର ୬୮ବର୍ଷ ଧାର୍ଯ୍ୟ କରିଥିଲେ । ଆଜି ସିଡିଏମ୍ଓ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେବା ସହିତ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ଅବସରପ୍ରାପ୍ତ ଡାକ୍ତର ରହିଛନ୍ତି ଆସନ୍ତା ଜୁଲାଇ ୧୫ ତାରିଖ ମଧ୍ୟରେ ତାହାର ତାଲିକା ପ୍ରସ୍ତୁତ ପାଇଁ ସିଡିଏମ୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ମିଳନୀରେ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟସେବା ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଜିଲ୍ଲାୱାରୀ ସମୀକ୍ଷା କରିବା ସହିତ କେଉଁଠାରେ କି ପ୍ରକାର ଆବଶ୍ୟକତା ରହିଛି ତାହା ଉଲ୍ଲେଖ କରିବା ସହିତ ବିହିତ ପଦକ୍ଷେପ ନେବାକୁ ସିଡିଏମ୍ଓମାନଙ୍କୁ ପରାମର୍ଶ ଦେଇଛନ୍ତି । ଅବସରପ୍ରାପ୍ତ ଡାକ୍ତରଙ୍କ ବୟସସୀମାକୁ ଦୁଇବର୍ଷ ବଢାଇବା ସହିତ ୭୦ବର୍ଷ ବୟସ ହୋଇନଥିବା ଅବସରପ୍ରାପ୍ତ ଡାକ୍ତରମାନଙ୍କ ତଥ୍ୟ ଟ୍ରେଜେରୀରୁ ସଂଗ୍ରହକରି ଆସନ୍ତା ଜୁଲାଇ ୧୫ ସୁଦ୍ଧା ସରକାରଙ୍କୁ ତାଲିକା ଦେବାପାଇଁ ସିଡିଏମ୍ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ସଂକ୍ରାନ୍ତରେ ସିଡିଏମ୍ଓ ସମ୍ମିଳନୀରେ ସମୀକ୍ଷା କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ ମଞ୍ଜୁରୀପ୍ରାପ୍ତ ମୋଟ୍ ୬୭୧୯ଟି ପଦବୀ ଥିବାବେଳେ ସେଥିରୁ ମାତ୍ର ୫୧୩ଟି ଖାଲି ପଡିଛି । ଡାକ୍ତରଙ୍କ ସଂଖ୍ୟା କମ୍ ରହିଥିବାବେଳେ କେତେକ ସ୍ଥାନରେ ବିନା ଅନୁମତିରେ ଡାକ୍ତରମାନେ ଅନୁପସ୍ଥିତ ରହିଯାଉଛନ୍ତି । ଏଭଳି ଘଟଣାକୁ ଆଉ ବରଦାସ୍ତ କରାଯିବନାହିଁ ଏବଂ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଚେତାବନୀ ଦେଇଛନ୍ତି । କୌଣସି ଡାକ୍ତରଖାନାରେ ଜରୁରୀ ଆବଶ୍ୟକତା ଦେଖାଦେଲେ କାଳବିଳମ୍ବ ନକରି ସିଡିଏମ୍ଓମାନେ ‘ଫ୍ଲେକ୍ସି ପୁଲ୍’ ରେ ଥିବା ଅର୍ଥରୁ ବ୍ୟୟ କରିବାପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଡାକ୍ତରଖାନା ଗୁଡିକୁ ଯୋଗାଇ ଦିଆଯାଇଥିବା ଯନ୍ତ୍ରପାତି ଆଦିର ଯେଭଳି ସଠିକ୍ ବିନିଯୋଗ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ସିଡିଏମ୍ଓମାନଙ୍କୁ କୁହାଯାଇଛି । ଦାନ ମାଝି ଘଟଣାର ଆଉ ଯେଭଳି ପୁନରାବୃତ୍ତି ନହୁଏ ତାହା ଉପରେ ସିଡିଏମ୍ଓ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି । ଏଣିକି କୌଣସି ମୃତ ରୋଗୀଙ୍କୁ ଡାକ୍ତର ସାର୍ଟିଫିକେଟ ପ୍ରଦାନ ପୂର୍ବରୁ ମୃତକଙ୍କ ସମ୍ପର୍କୀୟ ଚାହିଁଲେ ସେମାନଙ୍କୁ ମହାପ୍ରୟାଣ ଗାଡି ଯୋଗାଇ ଦିଆଯିବ । ମହାପ୍ରୟାଣ ଗାଡି ଯୋଗାଣରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ସିଡିଏମ୍ଓମାନେ ନିଜ ସ୍ତରରେ ହ୍ୱାଟ୍ସଆପ୍ ଗ୍ରୁପ ଗଠନ ପାଇଁ ପରାମର୍ଶ ଦିଆଯାଇଛି । ଏଥିରେ ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରମାନଙ୍କୁ ଯୋଡିବାପାଇଁ କୁହାଯାଇଛି । ସିଡିଏମ୍ଓ ସମ୍ମିଳନୀର ଆଜି ଅନ୍ତିମ ଦିବସ ହୋଇଥିବାବେଳେ ଜିଲ୍ଲାସ୍ତରରେ ସବୁ ଲୋକଙ୍କୁ ଯେଭଳି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ | ସେଥିପାଇଁ ଜିଲ୍ଲା ଚିକିତ୍ସା ବ୍ୟବସ୍ଥାର ମୁଖ୍ୟ ସିଡିଏମ୍ଓମାନେ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଦାସ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।