ରାଜ୍ୟ
ହସ୍ପିଟାଲ ପ୍ରକଳ୍ପ ପ୍ରତି ନିବେଶକ ଆଗ୍ରହୀ
ନିବେଶକ ସମ୍ମିଳନୀରେ ହସ୍ପିଟାଲ ପ୍ରକଳ୍ପ ପ୍ରତି ଆକୃଷ୍ଟ ହେଲେ ନିବେଶକ
ଭୁବନେଶ୍ୱର :ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଅନ୍ତର୍ଗତ ଓଡ଼ିଶା ସରକାରଙ୍କ ପକ୍ଷରୁ ଚେନ୍ନାଇରେ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ସଂଘ (ଏଫଆଇସିସିଆଇ) ସହଯୋଗରେ ଆୟୋଜିତ ରୋଡ୍ ଶୋ’ରେ ରାଜ୍ୟର ସ୍ୱାସ୍ଥ୍ୟ ସେବା ପ୍ରକଳ୍ପରେ ପୁଞ୍ଜି ନିବେଶ ପାଇଁ ନିବେଶକ ଆଗ୍ରହ ପ୍ରକାଶ କରିଛନ୍ତି । ଗତ ଦିଲ୍ଲୀ ରୋଡ୍ ଶୋ’ରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିବା ଆପୋଲୋ, କାବେରୀ,ଡକ୍ଟର ଆଇ ଇନଷ୍ଟିଚ୍ୟୁଟ୍ , ମେଡାଲମଙ୍ଗ ଆଦି ସ୍ୱାସ୍ଥ୍ୟ ସେବା କମ୍ପାନୀ ସହିତ ଆଲୋଚନା ହୋଇଥିଲା । ଆଜି ମୃାକ୍ସ
ହେଲଥକେୟାର, ଗ୍ଳୋକାଲ ହେଲଥ୍ କେୟାର, ଭିପିଏସ୍ ହେଲଥ୍ କେୟାର, ଯଶୋଦା ହସ୍ପିଟାଲ, ସିଗନସ୍ ମେଡିକେୟାର ଆଦି ୫୨ରୁ ଅଧିକ କମ୍ପାନୀ ସହିତ ଆଳୋଚନା ହୋଇଥିଲା।
ଏହି ନିବେଶକ ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ।ଘରୋଇ ସରକାରୀ ମିଳିତ ସହଯୋଗ (ପିପିପି) ରେ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।ପ୍ରମୂଖ ଜିଲ୍ଳା ମାନଙ୍କରେଏହା କାର୍ଯ୍ୟକାରୀ ହେବ।ଏହା ରାଜ୍ୟ ସରକାରଙ୍କ ୨୦୧୬ ହେଲଥ୍ କେୟାର ନିବେଶକ ବିକାଶ ନୀତି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଯୋଗ ରହିଛି । ରାଜ୍ୟର ୨୫ଟି ସ୍ଥାନରେ ୧,୩୦୦ କୋଟି ଟଙ୍କା ନିବେଶ ସହାୟତାରେ ୨,୯୦୦ ଶଯ୍ୟା ବିଶିଷ୍ଟ ନୂତନ ହସ୍ପିଟାଲ ନିର୍ମାଣର ପ୍ରସ୍ତାବ ରହିଛି । ଏହା ଦ୍ୱାରା ଆସନ୍ତା କିଛି ବର୍ଷ ମଧ୍ୟରେ ଛୋଟ ସହରରେ ମଧ୍ୟ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହୋଇପାରିବ । ଫଳରେ ଓଡ଼ିଶାରେ ୧୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ଏହାଦ୍ୱାରା ରାଜ୍ୟର ଆର୍ଥିକ ଅନଗ୍ରସର ପରିବାର ବିନା ମୂଲ୍ୟରେ ଚିକିତ୍ସା ସୁଯୋଗ ହାସଲ କରିବେ।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ଅନ୍ତର୍ଗତ ଏହା କାର୍ଯ୍ୟକାରୀ ହେବ।ଏହି ଯୋଜନା ଅନୁସାରେ ଝାରସୁଗୁଡ଼ାରେ ପିପିପି ମୋଡରେ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ।ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ୮୩ ଲକ୍ଷ ଲୋକଙ୍କୁ କ୍ୟାନସର ଚିକିତ୍ସା ଉପଲବବ୍ଧ କରାଯାଇପାରିବ।ଏହି କ୍ଷେତ୍ରରେ ଘରୋଇ ନିବେଶକଙ୍କୁ ରକ୍ଷାଣବେକ୍ଷଣ ଏବଂ ପରିଚାଳନା ଦାୟିତ୍ୱ ଦିଆଯିବ। ଏ କ୍ଷେତ୍ରରେ ଆପଲୋ ହସ୍ପିଟାଲ, କେୟାର ହସ୍ପିଟାଲ, ଆମ୍ରି ହସ୍ପିଟାଲ, ଏଲଭି ପ୍ରସାଧ ଆଇ ଇନଷ୍ଟିଚ୍ୟୁଟ୍, ସନସାଇନ୍ ହସ୍ପିଟାଲ ଆଦି ଜାତୀୟସ୍ତରୀୟ ସ୍ୱାସ୍ଥ୍ୟସେବା ହସ୍ୱିଟାଲ ରହିଛନ୍ତି ।
ଏହି ନିବେଶକ ସମ୍ମିଳନୀରେ ରାଜ୍ୟ ପିପିପି ଏବଂ ପିଏମ୍, ପିଆଣ୍ଡସି ବିଭାଗ ସଚିବ ପ୍ରଦୀପ ଜେନା,ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଓଏସଏମସିଏଲ ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟାନ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।