Latest

ଆଖି ଆଗରୁ ସ୍ୱାମୀ ଫେରାର ହୋଇଗଲେ: ତପସ୍ୱିନୀ

Posted on

ବ୍ରହ୍ମପୁର (ଓଡ଼ିଶା ୱେୟାର): ସ୍ତ୍ରୀ ଆଖି ଆଗରୁ ଫେରାର ହୋଇଗଲେ ଡାକ୍ତର ସ୍ୱାମୀ। ଗତକାଲିଠୁ ସ୍ୱାମୀଙ୍କ ବାଟକୁ ଅନାଇ ବସିଥିବା ତପସ୍ୱିନୀ ଦାଶ ଆଜି ଆସିକା ଥାନାରେ ନିଜ ଗୁହାରୀ ଜଣାଇଛନ୍ତି। ଉଜୁଡ଼ା ସଂସାରକୁ ପୁଣି ଥରେ ଫେରାଇବାକୁ କୋର୍ଟ ଦେଲେ ୭ ଦିନ ସମୟ। ଇତି ମଧ୍ୟରେ ସ୍ୱାମୀ ସ୍ତ୍ରୀ ଏକ ସଙ୍ଗେ ରହିଲେ। ହେଲେ ୭ ଦିନ ସରୁ ସରୁ ସ୍ୱାମୀ ଡ. ସୁମିତ ସାହୁ ତାଙ୍କୁ ଛାଡ଼ି କେଉଁଆଡ଼େ ଚାଲି ଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ତପସ୍ୱିନୀ।
କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍‌ ପହରା ଭିତରେ ଗତ ୭ ଦିନ ହେଲା ଆସିକା ଚିନିକଳ ଗେଷ୍ଟ ହାଉସ୍‌ରେ ସ୍ୱାମୀଙ୍କ ସହ ରହୁଥିଲେ ତପସ୍ୱିନୀ। ହେଲେ ଗତକାଲିଠୁ ସ୍ୱାମୀ କିଛି ନ ଜଣାଇ ଏକ ସ୍କୁଟିରେ କେଉଁଆଡ଼େ ଚାଲି ଯାଇଥିବା କହିଥିଲେ ତପସ୍ୱିନୀ । ଏପରିକି ରାତି ସାରା ସ୍ୱାମୀଙ୍କ ଫେରିବା ବାଟକୁ ତପସ୍ୱିନୀ ଅନାଇ ରହିଥିଲେ ବି ସେ ଫେରି ନ ଥିଲେ। ଶେଷରେ ନିରାଶ ହୋଇ ଆଜି ଏ ସମ୍ପର୍କରେ ଆସିକା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଗତକାଲିଠୁ ସ୍ୱାମୀଙ୍କୁ ପାଉନଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।
ଏନେଇ ତପସ୍ୱିନୀ କହିଛନ୍ତି, ଯଦି ମୋ ସ୍ୱାମୀ ଅସୁସ୍ଥ ଥିବାର ବାହାନା ଦେଖାଉଛନ୍ତି, ତେବେ ଜଣେ ଅସୁସ୍ଥ ବ୍ୟକ୍ତି ଧାଇଁ ଧାଇଁ କିପରି ସ୍କୁଟିରେ ବସି ଫେରାର ହୋଇପାରିବ । ଏହା ପୂର୍ବ ଯୋଜନା । ସେ ୭ ଦିନ ଭିତରେ ଫେରାର ହୋଇ ଯାଇଥାନ୍ତେ। ହେଲେ ଗୋଟିଏ ଫୋନ୍‌ ଟ୍ରାକ୍‌ରେ ଥିବାରୁ ଆଉ ଗୋଟିଏ ଫୋନ୍‌ରେ ସେ କଥା ହେଉଥିଲେ। ୭ ଦିନ ଭିତରେ ଫେରାର ହୋଇଥିଲେ ଅନ୍ୟମାନଙ୍କ ଯୋଗାଯୋଗରେ ଥିବା ସ୍ପଷ୍ଟ ହୋଇଥାନ୍ତା। ତେଣୁ ଯେବେ ୭ ଦିନ ଶେଷ ହେଲା ସେବେ ସେ ଫେରାର ହେବାକୁ ଯୋଜନା କଲେ ଏବଂ ଏଥିରେ ସଫଳ ବି ହେଲେ।

ତପସ୍ୱିନୀଙ୍କ ସହ ସୁମିତଙ୍କ ସମ୍ପର୍କକୁ ନେଇ ପଚରାଯିବାରୁ ଉଭୟ ୭ ଦିନ ଏକାଠି ରହିଥିଲେ ବି ଉଭୟଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନାହିଁ। ତେଣୁ ତାଙ୍କୁ କୁଆଡ଼େ ଯିବା ସମ୍ପର୍କରେ କ’ଣ ଜଣାଇବେ । ଯିବା ସମ୍ପର୍କରେ ସେ ଆଇଆଇସିଙ୍କୁ ଜଣାଇଛନ୍ତି। ଏହାବାଦ ଶରୀର ଅସୁସ୍ଥ ସତ୍ତ୍ୱେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ତପସ୍ୱିନୀଙ୍କ ପାଇଁ ଭଡ଼ା ଘର ଖୋଜୁଥିବା କହିଛନ୍ତି ତାଙ୍କ ଓକିଲ।

ହେଲେ ସୁମିତଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରୁ ନଥିବା ବେଳେ ତାଙ୍କ ଓକିଲଙ୍କ କଥାକୁ ବିଶ୍ୱାସ କରିପାରୁ ନାହାନ୍ତି ତପସ୍ୱିନୀ । ତେଣୁ ସେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version