ରାଜ୍ୟ
୫୦ହଜାର କୋଟିର ଚିଠା ବଜେଟକୁ ଅନୁମୋଦନ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୧୯-୨୦ ଆର୍ଥିକ ବର୍ଷର ୪ମାସର କାମଚଳା ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ମଞ୍ଜୁରୀ ମିଳିଛି । କାମଚଳା ବଜେଟରେ କୌଣସି ନୂଆ ଯୋଜନା ଘୋଷଣା କରାଯାଇନଥିବାବେଳେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ନୂଆ ଯୋଜନା ପାଇଁ ଅର୍ଥ ବରାଦ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ବୈଠକରେ ପ୍ରାୟ ୪୯ହଜାର ୮୦୦ କୋଟି ଟଙ୍କାର କାମଚଳା ଚିଠା ବଜେଟକୁ ଅନୁମୋଦନ ମିଳିଛି । ଏହି ୪ମାସର କାମଚଳା ବଜେଟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ‘କାଳିଆ’ ଯୋଜନା, ଓ ରାଜ୍ୟ ସରକାର ବିଭିନ୍ନ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ଘୋଷଣା କରିଥିବା ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା କରୁଥିବା ପ୍ରକଳ୍ପ ନିମନ୍ତେ ମଧ୍ୟ ପାଣ୍ଠିର ବରାଦ ହୋଇଛି । ଆସନ୍ତା ୭ତାରିଖରେ ବିଧାନସଭାରେ ଏହି କାମଚଳା ବଜେଟକୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଉପସ୍ଥାପନ କରିବେ। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ବଜେଟ ୧ଲକ୍ଷ ୩୨ହଜାର ୮୧୮ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ମସିହାରେ ଏହା ପ୍ରାୟ ୧୨% ଅଧିକ ହେବ ବୋଲି ସୂଚନା ମିଳିଛି ।