Latest
ଡବଲ ଡୋଜ ଟିକା ନେଇବି କରୋନା ପଜିଟିଭ ହେଉଛନ୍ତି
ଭୁବନେଶ୍ୱର, (ଓଡ଼ିଶା ୱେୟର):
କରୋନାର ଡବଲ ଡୋଜ୍ ଟିକା ନେଲା ପରେ ମଧ୍ୟ ପଜିଟିଭ ବାହାରୁଛନ୍ତି। ବିଶେଷକରି ଭୁବନେଶ୍ୱରରେ ଡବଲ ଡୋଜ ପରେ ପଜିଟିଭ ବାହାରୁଛି। ସେମାନେ ଗୁରୁତର ହେଉନଥିଲେ ମଧ୍ୟ ଅନ୍ୟଙ୍କୁ ସଂକ୍ରମିତ କରିପାରିବେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଏ ସୂଚନା ଦେଇଛନ୍ତି।
ସେ କହିଛନ୍ତି-“ଏଯାଏ ବିପଦ ଯାଇନି। ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ। ଯେତେ ସମୟ ବାହାରେ ରହିବା ମାସ୍କ ପିନ୍ଧିବା ଓ ନିୟମ ମାନିବା।”
ଶ୍ରୀ ମହାପାତ୍ର ଆହୁରି କହିଛନ୍ତି-“କରୋନା ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ନଜର ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ନିୟମ ଯେଉଁଠି ପାଳନ ହେଉନଥିବ କଡ଼ା କାର୍ୟ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ସିଲ୍ କରାଯିବ। ଲାଇସେନ୍ସ ବାତିଲ ହେବ।”
ଆସନ୍ତାକାଲି ଲକ୍ଡାଉନ୍ ସରୁଥିବାରୁ ଆଜି ରାଜ୍ୟ ସରକାର ପୁଣି ଥରେ ବଢ଼ାଇଛନ୍ତି। ଅଗଷ୍ଟ ୧ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ରହିବ। ତେବେ ସାରା ରାଜ୍ୟରେ ଲକଡାଉନ୍ ସମୟରେ ବସ୍ ଚାଲିବ। ସେହିପରି ପୂର୍ବଭଳି ଜିଲ୍ଲା ଗୁଡ଼ିକୁ ଦୁଇଟି କ୍ୟାଟେଗୋରୀରେ ରଖାଯାଇଛି।
କ୍ୟାଟେଗୋରୀ-ଏ’ରେ ୨୦ଟି ଓ କ୍ୟାଟେଗୋରୀ-ବି’ରେ ୧୦ଟି ଜିଲ୍ଲା ରହିଛନ୍ତି। କ୍ୟାଟେଗୋରୀ-ଏ’ରେ ଥିବା ଜିଲ୍ଲା ଗୁଡ଼ିକରେ ସପ୍ତାହରେ ସାତଦିନ ଯାଏ ଦୋକାନ ଖୋଲିବ। କ୍ୟାଟେଗୋରୀ-ବି’ରେ ସପ୍ତାହକୁ ୫ ଦିନ ଦୋକାନ ଖୋଲିବ ରହିବ। ପୂର୍ବଭଳି କ୍ୟାଟେଗୋରୀ-ବି’ ଜିଲ୍ଲାରେ ଶନିବାର ଓ ରବିବାର ଶଟଡାଉନ୍ ବଳବତ୍ତର ରହିବ। କ୍ୟାଟେଗୋରୀ-ଏ’ରେ ଥିବା ୨୦ ଜିଲ୍ଲାରେ ସପ୍ତାହକ ସାତଦିନ ଯାଏ ସକାଳ ୬ଟାରୁ ରାତି ୮ଟା ଯାଏ ଦୋଦାକ ବଜାର ଖୋଲିବ। ସେହିପରି କ୍ୟାଟେଗୋରୀ-ବି’ରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଦୋକାନ ବଜାର ଖୋଲିବ। ଏହି ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ଶଟଡାଉନ୍ ମଧ୍ୟ ବଳବତ୍ତର ରହିବ। ତେବେ କ୍ୟାଟେଗୋରୀ-ବି’ରେ ପୂର୍ବଭଳି ନାଇଟ୍ କର୍ଫ୍ୟୁ ଜାରି ରହିବ।