ରାଜନୀତି

ବିଧାୟକ ପଦରୁ ଇସ୍ତଫା ଘୋଷଣା କଲେ ଶଗରିଆ

Posted on

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ଶଗରିଆ ଆଜି ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ବାଚସ୍ପତି ପ୍ରଦୀପ ଅମାତ୍ ଭୁବନେଶ୍ୱର ବାହାରେ ଥିବା ପରେ ତାଙ୍କୁ ନଭେମ୍ବର ୬ତାରିଖରେ ଭେଟି ଆନୁଷ୍ଠାନିକ ଭାବେ ଏହି ଇସ୍ତଫା ଦେବେ ବୋଲି ସୂଚନା ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଶଗରିଆ ଆଜି କହିଛନ୍ତି ଯେ ଯେଉଁ ସାମ୍ବିଧାନିକ ପଦ ତାଙ୍କୁ ଲୋକେ ଦେଇଛନ୍ତି ତାକୁ ବ୍ୟବାହାର କରି ଜଣେ ଗରିବ ଦଳିତ ଝିଅ(କୁନ୍ଦୁଲି ପୀଡ଼ିତା)କୁ ନ୍ୟାୟ ଦେବାରେ ସେ ସକ୍ଷମ ହୋଇପାରିଲେ ନାହିଁ । ତେଣୁ ସେ ପଦବୀରେ ରହିବାର ତାଙ୍କର କୌଣସି ନୈତିକ ଅଧିକାର ନାହିଁ । ୧୫ବର୍ଷୀୟା ସେହି ପୀଡ଼ିତା ଝିଅ ନ୍ୟାୟ ପାଇବା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ସବୁ ରାଜନୀତିକ ଦଳର ନେତୃତ୍ୱଙ୍କ ନିକଟକୁ ଆସି ନ୍ୟାୟ ପାଇଲା ନାହିଁ । ଶେଷରେ ଆତ୍ମହତ୍ୟା କଲା । ତେଣୁ ନିଜର ବିବେକ ତାଙ୍କୁ ବିଧାନସଭାର ସଭ୍ୟ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଛି ।
ତେବେ ଶ୍ରୀ ଶଗରିଆଙ୍କ ନିକଟତମ ସୂତ୍ର ଅନୁସାରେ ସେ କଂଗ୍ରେସ ସହ ସମ୍ପର୍କ ଛିନ୍ନ କଲେ ବି ଆଗାମୀ ନିର୍ବାଚନରେ ବିଜେପି କିମ୍ବା ବିଜେଡି ପକ୍ଷରୁ ପ୍ରାର୍ଥୀ ହେବେ ନାହିଁ । ସମ୍ଭବତଃ ସେ ସ୍ୱାଧୀନ କିମ୍ବା ବହୁଜନ ସମାଜ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ନିଜକୁ ଦଳିତ ନେତା ଭାବେ ପ୍ରତିପାଦନ କରିବା ପାଇଁ ଏଭଳି ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version